ରାଉରକେଲା, ୧୯/୧୧/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କ ଶ୍ରମ,ଜଙ୍ଗଲ, ପରିବେଶମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଆଜି ଦିନିକିଆ ରାଉରକେଲା ଗସ୍ତ ଅବସରରେ ରାଉରକେଲା ଠାରେ ଇଏସଆଇ ମେଡ଼ିକାଲ କଲେଜ ଖୋଲିବା ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଉରକେଲା ସହର,କେନ୍ଦୁଝର, ଝାରସୁଗୁଡା ଓ ପାର୍ଶ୍ଵବର୍ତି ଅଂଚଳରେ ଥିବା ବିଭିନ୍ନ କଳ କାରଖାନା ଆଦିରେ କାମ କରୁଥିବା କର୍ମଚାରୀ ଓ ପରିବାର ସହ ପାଖା ପାଖି ସାଢେ ପାଞ୍ଚଲକ୍ଷ ରାଜ୍ୟ କର୍ମଚାରୀ ବୀମା ଧାରୀ ଅଛନ୍ତି । ରାଜ୍ୟ ସରକାର ମଧ୍ୟ ବର୍ଷକୁ ୪୫୦ କୋଟିରୁ ଉର୍ଦ୍ଧ ବୀମା ରାଶି କେନ୍ଦ୍ର ସରକାରଙ୍କୁ ଦେଇଥାନ୍ତି । କିନ୍ତୁ ବୀମାଧାରୀ ବା ତାଙ୍କର ପରିବାରର କେହି ବେଶୀ ଅସୁସ୍ଥ ହେଲେ ରାଉରକେଲାରେ ଥିବା ମେଡ଼ିକାଲ କଲେଜ ତାଙ୍କୁ ଭୁବନେଶ୍ୱର କିମ୍ବା ଅନ୍ୟ ହସ୍ପିଟାଲକୁ ରେଫର୍ କରି ଦିଅନ୍ତି । ଯାହା ଫଳରେ ସେହି ରୋଗୀର ପରିବାର ହନ୍ତସନ୍ତ ହେବା ସହ ରାସ୍ତାରେ ରୋଗୀ ମଧ୍ୟ ମୃତ୍ୟୁ ବରଣ କରନ୍ତି। ନିକଟରେ ଭାରତ ବର୍ଷରେ ଦଶଟି ନୁଆ ଇଏସଆଇ ମେଡ଼ିକାଲ କଲେଜ ଖୋଲା ଯାଇଥିଲେ ମଧ୍ୟ ଓଡିଶା ସେଥିରୁ ବାଦ ପଡ଼ିଛି । ତେଣୁ ଶ୍ରମିକ ମାନଙ୍କ ସ୍ବାସ୍ଥ ପାଇଁ ଏ ଅଂଚଳରେ ଏକ ଇଏସଆଇ ମେଡ଼ିକାଲ କଲେଜ ଓ ବଡ଼ ହସ୍ପିଟାଲ ଖୋଲାଯିବା ପାଇଁ ରାଉରକେଲା ବିକାଶ ମଞ୍ଚର ଆବାହକ ଡକ୍ଟର ସୁମନ ଦତ୍ତଙ୍କ ସହ ସୁପ୍ରତୀକ ମିଶ୍ର, ଶ୍ରମିକ ନେତା ଦିଗମ୍ବର ମହାନ୍ତି, ଅମୁଲ୍ୟ ବରାଳ ଓ ଅନ୍ୟମାନେ ଦାବି କରିଛନ୍ତି । ମନ୍ତ୍ରୀ ମହୋଦୟ ଏ ବିଷୟରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।