ପୁରୀ,୨୦/୧୧/୨୦୨୫(ଓଡ଼ିଶା ସମାଚାର)-ନର୍ସିଂ ନିର୍ଦେଶାଳୟ ଓ ଜାତୀୟ ସ୍ୱାସ୍ଥ୍ୟମିଶନର ମିଳିତ ଆନୁକୂଲ୍ୟରେ ତଥା ସରକାରୀ ସହକାରୀ ନର୍ସିଂ ମିଡୱାଇଫ ତାଲିମ କେନ୍ଦ୍ର(ଏଏନଏମ୍ ଟ୍ରେନିଂ ସେଂଟର), ପୁରୀର ସହଭାଗିତାରେ ରାଜ୍ୟସ୍ତରୀୟ ଦୁଇ ଦିନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମହାପାତ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରରେ ବିସ୍ତୃତରେ ଅବଗତ କରାଇଥିଲେ । ନର୍ସିଂ ନିର୍ଦେଶକ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ ଓ ଡାକ୍ତର ଅମରେନ୍ଦ୍ର ସ୍ୱାଇଁ ମଧ୍ୟ କର୍ମଶାଳାରେ ଉପସ୍ଥିତ ରହି ନିଜର ଅଭିଭାଷଣ ରଖିଥିଲେ । ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୌଶିକ ମିଶ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଅକ୍ଷୟ କୁମାର ଶତପଥି ଏବଂ ଜିଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ ।
ଏହି କର୍ମଶାଳାର ମୁଖ୍ୟ ପ୍ରସଙ୍ଗ ନର୍ସିଂ ଶିକ୍ଷା ଏବଂ ସେବାରେ ନେତୃତ୍ୱର ବିସ୍ତାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ପରେ କାର୍ଯ୍ୟଭାର ଚାପ ପରିଚାଳନା, ଗୁଣବତା ସେବା ବିଷୟରେ ମଧ୍ୟ ପୁଙ୍ଖନୁପୁଙ୍ଖ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଜାତୀୟ ସ୍ତର, ରାଜ୍ୟସ୍ତରର ଅନେକ ବିଖ୍ୟାତ ଶିକ୍ଷାବିତ (ନର୍ସିଂ ଶିକ୍ଷା) ତଥା ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକା ମାନେ ମଧ୍ୟ ଯୋଗଦାନଦେଇ ନର୍ସିଂ ଶିକ୍ଷା ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ ।
ସମସ୍ତ ଜିଲାର ନର୍ସିଂ ଶିକ୍ଷା ବିଜ୍ଞାନରେ ସ୍ନାତକ ଏବଂ ନର୍ସିଂ ଶିକ୍ଷା ବିଜ୍ଞାନରେ ମାଷ୍ଟର ଡିଗ୍ରୀର ମେଧାବୀ ଛାତ୍ର ଓ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ ମଧ୍ୟ କରାଯାଇଥିଲା । ପୁରୀ ନର୍ସିଂ ମିଡୱାଇଫ ତାଲିମ କେନ୍ଦ୍ରର ଅଧ୍ୟାପିକାମାନେ କର୍ମଶାଳାକୁ ପରିଚାଳନା କରିଥିଲେ । ଶେଷରେ ତାଲିମ କେନ୍ଦ୍ରର ଅଧ୍ୟକ୍ଷା ନୟନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
