ବରିଷ୍ଠ ସାମ୍ବାଦିକ ରବି କାନୁନ୍‌ଗୋଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର,୨୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ରବି କାନୁନ୍‌ଗୋଙ୍କ ପରଲୋକ ଘଟିଛି । ଓଡ଼ିଆ ସାମ୍ବାଦିକତାରେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇରହିବ । ଓଡ଼ିଶାର ଜଣେ ଜଣାଶୁଣା ଶ୍ରମିକ ନେତା ଏବଂ ନିୟମିତ ସ୍ତମ୍ଭକାର ଭାବେ ପରିଚିତ ଥିଲେ । ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ଅବଦାନ ନିମନ୍ତେ ସ୍ୱର୍ଗତଃ କାନୁନ୍‌ଗୋଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।

ସ୍ୱର୍ଗତଃ କାନୁନ୍‌ଗୋଙ୍କ ରଚିତ ପୁସ୍ତକ କଥା କିଂଚିତ୍‌, କାଗଜ ବାଘ, କେଶବତୀ କନ୍ୟା, ଅଇନା, ପୁଅ ଓ କୋଡିଏଟି ଗପ, ଆଶା ତମସା, ଏକ ରାଜ୍ୟପାଳଙ୍କ ଅନୁଭୂତି, ସବୁ ନାରୀ ଟିକେ ଟିକେ ସୀତା ଆଦି ପାଠକୀୟଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରିଛି । ସେ ଜଣେ ସରଳ, ନିଷ୍ଠାବାନ ଓ ଅମାୟିକ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ସ୍ୱର୍ଗତଃ କାନୁନ୍‌ଗୋଙ୍କ ବିୟୋଗରେ ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକ ଜଗତରେ ଅପରୂଣୀୟ କ୍ଷତି ହୋଇଛି ବୋଲି କହି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତଃ କାନୁନ୍‌ଗୋଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *