ତିନୋଟି ସ୍ଥାନରେ ଫୁଟିଲା ବୋମା

ଜଣେ ମୃତ, ଜଣେ ଆହତ, ଉଡ଼ିଲା ଘର ଛାତ, ଭାଙ୍ଗିଲା କବାଟ-ଝରକା

ଖୋର୍ଦ୍ଧା, ଢେଙ୍କାନାଳ, ପୁରୀ, ୦୯/୦୮/୨୦୨୫(ଓଡ଼ିଶା ସମାଚାର)-  ଖୋର୍ଦ୍ଧା, ଢେଙ୍କାନାଳ ଓ ପୁରୀ ଜିଲାର ତିନୋଟି ସ୍ଥାନରେ ବୋମାମାଡ଼ ହୋଇଛି । ଏଥିରେ ଜଣକର ଜୀବନ ଯିବା ସହିତ ଜଣେ ଆହତ ହୋଇଛନ୍ତି । ସମସ୍ତ ଘଟଣାରେ ପୁଲିସ ଛାନଭିନ୍ ଆରମ୍ଭ କରିଛି । ଖୋର୍ଦ୍ଧା ଜିଲାରେ ଜଣକର ମୃତୁ୍ୟ ହେବା ସହ ଢେଙ୍କାନାଳରେ ବୋମାମାଡ଼ ଦ୍ୱାରା ଜଣେ ଆହତ ହୋଇଛନ୍ତି । ସେହିପରି ପୁରୀରେ ଜାଗା ଘର ଉପରକୁ ୩ ଜଣ ଦୁର୍ବୃତ ବୋମା ଫିଙ୍ଗି ଫେରାର୍ ହୋଇଯାଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ଼ ପଂଚାୟତ ହରିପୁର ଗ୍ରାମ ମାଝୀ ସାହିର ରମେଶ ମହାପାତ୍ର ଘରେ ବୋମା ଭିଡୁ ଥିବାବେଳେ ବିସ୍ଫୋରଣ ଘଟି ତାଙ୍କର ମୃତୁ୍ୟ ହୋଇଛି । ସୂଚନାଯୋଗ୍ୟ ଯେ ବାରାହା ଶିକାର ପାଇଁ ହରିପୁରରେ ରମେଶ ମହାପାତ୍ର ନିଜ ଘରେ ବୋମା ପ୍ରସ୍ତୁତି କରୁଥିଲେ । ଅଧିକ ଚାପ ପଡ଼ିବାରୁ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ରମେଶଙ୍କ ଶରୀର ଜଳିପୋଡ଼ି ଗୁରୁତର ହୋଇଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୩ ବଖରା ଘରର ଛାତ ଉଡ଼ିଯାଇଥିଲା । ଭାଗ୍ୟ ଭଲ ଏହି ସମୟରେ ରମେଶଙ୍କ ଦୁଇ ସନ୍ତାନ ବିଦ୍ୟାଳୟ ଯାଇଥିବାବେଳେ ପତ୍ନୀ କୌଣସି କାର୍ଯ୍ୟରେ ବାଡ଼ି ପଟକୁ ଯାଇଥିବାରୁ ସେମାନେ ଦୁର୍ଘଟଣାରୁ ବର୍ତି ଯାଇଥିଲେ ।

ଗ୍ରାମବାସୀ ଗୁରୁତର ରମେଶଙ୍କୁ ସେଙ୍ଗ ସେଙ୍ଗ ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍କୁ ନେଇ ଚିକିତ୍ସା କରାଇଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନିରାକାରପୁର ପୁଲିସ ପହଂଚି ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଚଳାଇଛି ।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଫାଣ୍ଡି ଅନ୍ତର୍ଗତ ନୁଆଗାଁ ଦଳିତ ବସ୍ତିରେ ବୋମାମାଡ଼ ହୋଇଛି । କେହି ଦୃର୍ବୃତ ବସ୍ତିର ବିଜୟ ନାୟକଙ୍କ ଘର ଉପରକୁ ବୋମାମାଡ଼ କରିଛି । ଏଥିରେ ଘରର କାନ୍ଥ ଫାଟିଯିବା ସହ ଝରକା ଭାଙ୍ଗିଡ଼ିଛି ଏବଂ ବିଜୟଙ୍କ ମୁଣ୍ଡରେ ଆଘାତ ଲାଗିଛି । ସ୍ଥାନୀୟ ତରଭା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା କରାଯାଇଥିଲା ବେଳେ ସେ ବିପଦ ମୁକ୍ତ ବୋଲି ଜଣାପଡ଼ିଛି । ତେବେ ବୋମାମାଡ଼ର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ । ପୂର୍ବଶତ୍ରୁତାକୁ ନେଇ ବୋମାଡ଼ ଘଟିଥିବା ସନ୍ଦେହ କରାଯାଉଛି । ପରିବାର ଲୋକେ ଭୟଭୀତ ହୋଇପଡ଼ିଥିବା ଆହତ ବିଜୟ ନାୟକଙ୍କ ପତ୍ନୀ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ସଦରଥାନା ପୁଲିସ ଓ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରଛି ।

ସେହିପରି ଶ୍ରୀକ୍ଷେତ୍ରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଶୁକ୍ରବାର ଦିନ ଦି’ପହରରେ ପୁରୀରେ ବୋମାମାଡ଼ ହୋଇଛି  । ମୋଚି ସାହି ଛକ ନିକଟରେ ଥିବା ନୂଆ ତୋଟା ଜାଗା ଘର ଉପରକୁ ବୋମାମାଡ଼ କରି ତିନିଜଣ ଦୁର୍ବୃତ ବାଇକ୍ ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପରେ ଟାଉନ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ।

ମିଳିଥିବା ସୂଚନା ମୁତାବକ ବୋମାମାଡ଼ରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଏ ସମ୍ପର୍କରେ ଗତକାଲି ଖବର ପ୍ରକାଶ ପାଇଥିଲା । ତେବେ ବୋମାମାଡ଼ ସମୟର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ତଦନ୍ତ ପରେ କିଏ ଏବଂ କାହିଁକି ବୋମାମାଡ଼ କଲେ ତାହା ସ୍ପଷ୍ଟହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ବୋମାମାଡ଼ ହୋଇଥିବା ଜାଗା ଘରେ ଟାଉନ୍ କଂଗ୍ରେସ କାର୍ଯ୍ୟାଳୟ ଥିବା ଜଣାପଡ଼ିଛି । ତେଣୁ ଏହି ବୋମାମାଡ଼ ରାଜନୀତି ଶତ୍ରୁତା ପାଇଁ ହୋଇଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *