୪୧ କୋଟି ୪୮ ଲକ୍ଷଟଙ୍କା ରେ ନବନିର୍ମିତ ସାଲେପୁର-ଛତିଆ ପୂର୍ତ୍ତ ରାସ୍ତା ନିର୍ମାଣ ରେ ବ୍ୟାପକ ଅନିୟମିତତା

 ୬ ମାସରେ ଉଠିଲା ପିଚୁ ଓ ଗୋଡ଼ି

* ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଞ୍ଚଳବାସୀ

* ପାନୀୟଜଳ ବିଭାଗର ମନଇଚ୍ଛା କାମ ଯୋଗୁ ରାସ୍ତା ଖରାପ ହେଉଛି – ସହକାରୀ ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ

* ଆମେ ଚିଠି କରିଛୁ , ସେମାନେ ଠିକ୍ ସମୟରେ ଅନୁମତି ଦେଉନଥିବାରୁ ଆମେ କାମ କରି ଦଉଛୁ – ସହକାରୀ ଅଧିକ୍ଷଣ ଯନ୍ତ୍ରୀ,ପାନୀୟଜଳ

* ବିଭାଗୀୟ ସମନ୍ୱୟ ଅଭାବରୁ ଢ଼ଲେଇ ରାସ୍ତା ଉପରେ ରହିଗଲା ୧୧ କେ.ଭି. ଲୁହା ବିଦ୍ୟୁତ୍ ଖୁଣ୍ଟ )

ସାଲେପୁର /ମାହାଙ୍ଗା, ୨୦/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-ସାଲେପୁର ଠାରୁ ଛତିଆ ପୂର୍ତ୍ତ ବିଭାଗର ରାସ୍ତା ଉନ୍ନତି କରଣ କରାଯାଇ ସମ୍ପ୍ରସାରିତ କରାଯାଇଛି । ରାସ୍ତାଟିର ନିର୍ମାଣରେ ୪୧ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ୨୦୨୩ ମସିହା ମଇ ମାସରେ ନିର୍ମାଣ ଆରମ୍ଭ ଓ ୨୦୨୫ ମସିହା ମଇ ମାସରେ ନିର୍ମାଣ ଶେଷ ହୋଇଛି ବୋଲି ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ମାତ୍ର ନବନିର୍ମିତ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଅଛି । ଯେଉଁଥିପାଇଁ  ମାତ୍ର ୬ ମାସ ମଧ୍ୟରେ କିଛି ବାଟ ପିଚୁରାସ୍ତା ଓ କିଛି ବାଟ ଢ଼ଲେଇ କରାଯାଇଥିବା ଏହି ରାସ୍ତାରେ କେଉଁଠି ପିଚୁ ରାସ୍ତା ଦବିଯାଇ ଫାଟ ହୋଇଗଲାଣି ତ କେଉଁଠି ପିଚୁ ପରସ୍ତ ପରସ୍ତ ଉଠି ଗଲାଣି ଓ ଢ଼ଲେଇ ରାସ୍ତାରୁ ସିମେଣ୍ଟ ଛାଡ଼ିଯାଇ ଗୋଡ଼ି ବାହାରିଲାଣି ବୋଲି ଅଭିଯୋଗ କରାଯାଇଛି ।

     ଅନୁସନ୍ଧାନ ତଥା ଅଭିଯୋଗ ଆଧାରରୁ ପ୍ରକାଶ ଯେ , ସାଲେପୁର – ଛତିଆ ପୂର୍ତ୍ତ ରାସ୍ତାର ସାଲେପୁର ଉପଖଣ୍ଡ ଅଧୀନରେ ୨୬ କି.ମି.  ୭୮୪ ମିଟର ଲମ୍ବ ଓ ୭ ମିଟର ଚଉଡ଼ା ରାସ୍ତା ରେ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥି ମଧ୍ୟରୁ ଢ଼ଲେଇ ରାସ୍ତା ୭ କି.ମି. ୪୪୫ ମିଟର ଏବଂ ପିଚୁ ରାସ୍ତା ୧୯ କି.ମି. ୩୩୯ ମିଟର କରାଯାଇଛି । ଢଲେଇ ୨୦୦ ଏମ.ଏମ. ପଡ଼ିଥିବା ବେଳେ ପିଚୁ ୮୦ ଏମ.ଏମ. କରାଯାଇଛି ।

    କାର୍ଯ୍ୟସ୍ଥଳ ରେ ଆଦୌ ଗୋଟିଏ ହେଲେ ସୂଚନା ଫଳକ ନ ଲଗାଇ ବିଜୟ ବିଲ୍ଡକନସ୍ ପ୍ରାଇଭେଟ୍ ଲିମିଟେଡ ନାମକ ଠିକା କମ୍ପାନୀ ଏହି ରାସ୍ତା କାମ ଦିନ ରାତି ମନ ଇଚ୍ଛା ନିର୍ମାଣ କରିଥିବାର ଅଭିଯୋଗ ହୋଇଛି। ଏପରିକି ଅନେକ ସମୟରେ କାର୍ଯ୍ୟ ସ୍ଥଳରେ ବିଭାଗୀୟ ବୈଷୟିକ ଅଧିକାରୀ ଉପସ୍ଥିତ ନ ରହିବା କାରଣରୁ ଠିକାଦାର ତାଙ୍କ ମନଇଚ୍ଛା ଭାଗମାପ ଦେଇ ଅତ୍ୟନ୍ତ ନିମ୍ନ ମାନର ରାସ୍ତା କାମ କରିଛନ୍ତି ବୋଲି ଅଭିଯୋଗ ରୁ ପ୍ରକାଶ ।

ନିମ୍ନ ମାନର ରାସ୍ତା କାମ ଯୋଗୁ ଢ଼ଲେଇ ହୋଇଥିବା ରାସ୍ତାର ସାଲେପୁର ବଜାର , ଅଦାଲତ  ସାମ୍ନା , ହାଟ ପାଖ , ଲୁଣାହାର ରାଧାକୃଷ୍ଣ ମନ୍ଦିର ପାଖ , ବୋଦମୁଣ୍ଡାଇ ବଜାର , ଶନି ମନ୍ଦିର ସାମ୍ନା, ମନୋହରପୁର , ସାଇଗୋଡା , କୁସମ୍ବି ବଜାର , ଧୂଆଁସାହି , ରାଇସୁଙ୍ଗୁଡ଼ା, ଗଙ୍ଗେଶ୍ୱର  ବଜାର , ଖନ୍ଦୋଳ ବଜାର , ଗୌଡପଡା ବଜାର , ଛାତ୍ରତୋଟା ବଜାର , ମଲ୍ଲିପୁରା , କୁଆଁପାଳ ବଜାର , କଲ୍ୟାଣପୂର ବଜାର ଆଦି ଅନେକ ଯାଗାରୁ ସିମେଣ୍ଟ ଛାଡିଯାଇ ଗୋଡ଼ି ବାହାରିଲାଣି ଓ ଜଗନ୍ନାଥପୂର୍ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଢ଼ଲେଇ ଭାଙ୍ଗି ଯାଇ ରାସ୍ତାରେ ଖାଲ ହେଲାଣି ବୋଲି ଗୁରୁତର ଅଭିଯୋଗ ହୋଇଛି। ସେହିପରି ନୂଆ ପିଚୁ ରାସ୍ତାରେ ଧର୍ମଗତପୁର ଠାରେ ତାଳି ପଡ଼ିଛି ଓ ସେଇ ପାଖା ପାଖି ୨/୩ ଜାଗାରୁ ପିଚୁ ଉଠି ଯାଇଛି ବୋଲି ଅଭିଯୋଗ ହୋଇଛି ।  ଭୋଳୀଦାଶପୁର ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ନିକଟ ମୋଡ଼ ରାସ୍ତାରେ ପିଚୁ ରାସ୍ତା ଦବିଯାଇଚି ଓ ରାସ୍ତା ଫାଟି ଆଁ କରିଛି ବୋଲି ଅଭିଯୋଗ ହେବା ସହ ସେଇ ପାଖରେ ୪/୫ ଟି ସ୍ଥାନରେ ପିଚୁ ପରସ୍ତ ପରସ୍ତ ଉଠିଯାଇ ଖାଲ ହୋଇଯାଇଛି । ପୁରୁଣା ପିଚୁ ରାସ୍ତାକୁ ନ ଭାଙ୍ଗି ସେଇ ପୁରୁଣା ରାସ୍ତା ଉପରେ ପିଚୁ ପକାଇଥିବାରୁ ଏଭଳି ଉଠି ଯାଉଚି ବୋଲି ଅଭିଯୋଗରୁ ପ୍ରକାଶ । ୬ ମାସରେ ଯଦି ନୂଆ ରାସ୍ତା ଅବସ୍ଥା ଏଭଳି ହୁଏ ତେବେ ନୂଆ ରାସ୍ତା ଆଊ କେତେ ଦିନ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଗମନ ଗମନ ସେବା ଯୋଗାଇବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସବୁଠାରୁ ଚକିତ କଲା ଭଳି ଘଟଣାଟି ହେଉଚି , ଭିନ୍ନ ଭିନ୍ନ ବିଭାଗର ସମନ୍ୱୟ ଅଭାବରୁ କାଗଜ କଲମରେ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ  ପ୍ରକୃତ ପକ୍ଷେ ରାସ୍ତା ଅଦ୍ୟାବଧି ଅସମ୍ପୂର୍ଣ୍ଣ ରହିଛି।  ପାନୀୟଜଳ ବିଭାଗ ମନଇଚ୍ଛା ଖୋଳିବା କାରଣରୁ ରାସ୍ତା ଖରାପ ହେଉଛି ।  ବିଦ୍ୟୁତ୍ ଖୁଣ୍ଟ ରାସ୍ତା ରୁ ଅପସାରଣ  କରାଯାଇନାହିଁ । ଖୁଣ୍ଟ ରାସ୍ତା ଉପରେ ଦୀର୍ଘ ଦିନ ହେବ ଛିଡ଼ା ହୋଇଛି ଏବଂ ପାନୀୟଜଳ ବିଭାଗ ଦ୍ଵାରା ଏକ ବଡ଼ ଗାଢ଼ ଖୋଲାଯାଇ ମୁକୁଳା ପଡ଼ିଛି , ଏଥିରେ ଆବଶ୍ୟକୀୟ ଅବରୋଧ ମଧ୍ୟ ଦିଆଯାଇନାହିଁ । ଶୀତଦିନେ କୁହୁଡି ଯୋଗୁ ଏହି ଗାଢ଼ ଓ ବିଦ୍ୟୁତ୍ ଖୁଣ୍ଟି ମରଣ ଯନ୍ତା ସଦୃଶ ଛିଡ଼ା ହୋଇଛି ବୋଲି ଅଭିଯୋଗ ହେଉଛି ।

ଉପରୋକ୍ତ ନିମ୍ନମାନର କାମର ବିଧିବଦ୍ଧ ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣ ବିଭାଗୀୟ ଉଚ୍ଚ ର୍କତୃପକ୍ଷ, କଟକ ଜିଲ୍ଲାପାଳ, ପୂର୍ତ୍ତ ମନ୍ତ୍ରୀ , ଶକ୍ତି ମନ୍ତ୍ରୀ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ଗ୍ରାମ୍ୟଉନ୍ନୟନ ମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *