ମା ଉଗ୍ରତାରାଙ୍କ ସ୍ବାଗତ ତୋରଣ ପ୍ରତି ଟ୍ରଷ୍ଟିର ଅଣଦେଖା

                    ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଗେଟ କଳଙ୍କି ଲାଗିଲାଣି : ରକ୍ଷଣାବେକ୍ଷଣ ଦାୟିତ୍ବ କାହାର ?

ନିରାକାରପୁର, ୧୬/୨୦୨୪ (ଓଡ଼ିଶା ସମାଚାର)- ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ବାଗତ ତୋରଣ ଏବେ ଦୟନୀୟ ଅବସ୍ଥାରେ କଳଙ୍କି ଲାଗି ରହିଛି। ବର୍ଷକୁ ଥରେ ରଜ ଯାତ୍ରା ସମୟରେ ମନ୍ଦିର ଟ୍ରଷ୍ଟ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମନ୍ଦିର ରଙ୍ଗ ଠାରୁ ଆରମ୍ଭ କରି ୭ ଦିନ ଯାତ୍ରା ଓ ୫ ଦିନ ଧରି ଉଗ୍ରତାରା ମହୋତ୍ସବ ଅନୁଷ୍ଠିତ ହେଉଥିଲେ ବି ଦୀର୍ଘ ବର୍ଷ ଧରି ପୂର୍ବତନ କେନ୍ଦ୍ର  ଇସ୍ପାତ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସହାୟତାରେ ୧୬ ନଂ  ଜାତୀୟ ରାଜପଥ ଠାରୁ   ଉଗ୍ରତାରା ଓ ଭୂଷଣ୍ଡପୂର କୁ ସ୍ଵାଗତ କରୁଥିବା ସମ୍ପୂର୍ଣ ଲୁହାରେ ନିର୍ମିତ ହୋଇଥିବା ସ୍ବାଗତ ତୋରଣ ଏବେ ଅବହେଳିତ ଅବସ୍ଥାରେ କେବଳ ଦଣ୍ଡାୟମାନ ହୋଇ ଭକ୍ତମାନଙ୍କୁ ବାଟ କଢ଼େଇ ନେଉଛି। ଶୁଣିବାକୁ ମିଳୁଛି ସେହି ଗେଟ ର ନିର୍ମାଣ ଦିନ ଠାରୁ ଏ ପର୍ଯ୍ୟନ୍ତ ସାମାନ୍ୟ ରଙ୍ଗ ଟିକେ କରିବାକୁ କାହାର ଯେମିତି ଆଗ୍ରହ ନାହିଁ। ସେ ଗେଟ ଟି ବର୍ତ୍ତମାନ ଧୀରେ ଧୀରେ କଳଙ୍କି ଲାଗିବାକୁ ବସିଲାଣି। କିନ୍ତୁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କାହାରି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ ବିଷୟ। ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୂର ମା ଉଗ୍ରତାରାଙ୍କ ପୀଠ ଏକ ପ୍ରସିଦ୍ଧ ଧର୍ମ ପୀଠ ହୋଇଥିବାବେଳେ  ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ପୀଠ କୁ ଓଡ଼ିଶା ଓ ରାଜ୍ୟ ବାହାରରୁ ଦୈନଦିନ ଶହ ଶହ ପର୍ଯ୍ୟଟକ ଓ ଭକ୍ତ ଆସୁଛନ୍ତି। ପୁଣି ଆଗରୁ ୧୬ ନଂ ଜାତୀୟ ରାଜପଥ ରୁ ଉଗ୍ରତାରା ମନ୍ଦିରକୁ ଯିବାକୁ ସହଜ ଥିବାବେଳେ ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଏହି ଛକରେ ଏକ ଓଭର ବ୍ରିଜ ନିର୍ମାଣ କରାଯାଇଛି। ଫଳରେ ଏହି ପୀଠ କୁ ଯାତାୟାତ କରିବା ପାଇଁ ଏହି ସ୍ବାଗତ ଗେଟ ର ଭୂମିକା ଗୁରୁତବପୂର୍ଣ୍ଣ ରହିଛି। ଆଗରୁ ଏଥିରେ ଅନେକ ଗୁଡ଼ିଏ ଆଲୋକ ବ୍ୟବସ୍ଥା କରାଯାଇଥିବାବେଳେ ଏବେ ଆଉ ମାତ୍ର ଗୋଟିଏ ଲାଇଟ୍ ଜଳୁଛି।  ଏହି ଗେଟ ର ରକ୍ଷଣାବେକ୍ଷଣ ବିଷୟରେ ଟ୍ରଷ୍ଟ ସୁପର ସୁପରଭାଇଜର କୁମର ପାତ୍ର ଙ୍କୁ ପଚାରିବାରୁ ସେ କହିଥିଲେ କି ପୂର୍ବରୁ ମନ୍ଦିର ପ୍ରଶାସନ ତରଫରୁ ଥରେ ଦୁଇ ଥର ଏହି ଗେଟ ରଙ୍ଗ ହୋଇଥିଲା। ଏବେ ଆଉ କରାଯାଇନାହିଁ। ତେଣୁ ଏହାର  ରକ୍ଷଣାବେକ୍ଷଣ ଦାୟିତ୍ବ ମନ୍ଦିର ପ୍ରଶାସନ ନା ରାସ୍ତା ପୂର୍ତ୍ତ ବିଭାଗ ନେବ ତାହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *