‘ରାଜାରାଣୀ ସଙ୍ଗୀତ ଉତ୍ସବ’- ୨୦୨୬ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସମୃଦ୍ଧ ସଂସ୍କୃତି ଓ ଇତିହାସର ସୁନ୍ଦର ସେତୁ ‘ରାଜାରାଣୀ ସଙ୍ଗୀତ ଉତ୍ସବ’ – ଧର୍ମେନ୍ଦ୍ର ପ୍ରଧାନ

  • ରାଜାରାଣୀ ମନ୍ଦିରର ନିର୍ମାଣଶୈଳୀକୁ ଲୋକଲୋଚନକୁ ଆଣିବା ଦିଗରେ ଆୟୋଜନ ପ୍ରଶଂସନୀୟ
  • ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପକୁ ସୁଦୃଢ଼ କରୁଛି ରାଜାରାଣୀ ସଙ୍ଗୀତ ଉତ୍ସବ
  • ଭାରତୀୟ କଳା ଓ ଭାଷାକୁ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଦିଆଯାଉଛି ଯୋର୍

ଭୁବନେଶ୍ୱର,୧୭/୦୧/୨୦୨୬ (ଓଡ଼ିଶା ସମାଚାର)-  ରାଜାରାଣୀ ସଙ୍ଗୀତ ମହୋତ୍ସବ କେବଳ ଏକ ସଙ୍ଗୀତ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମର ସମୃଦ୍ଧ ସଂସ୍କୃତି, କଳା ଏବଂ ଇତିହାସ ମଧ୍ୟରେ ଏକ ସୁନ୍ଦର ସେତୁ ସଦୃଶ ବୋଲି ଶୁକ୍ରବାର ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଐତିହାସିକ ‘ରାଜାରାଣୀ ମନ୍ଦିର’ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, ରାଜାରାଣୀ ମନ୍ଦିରର ନିର୍ମାଣଶୈଳୀକୁ ଲୋକଲୋଚନକୁ ଆଣିବା ତଥା ଏହାର ଐତିହ୍ୟକୁ ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ସଙ୍ଗୀତ ଉତ୍ସବର ଆୟୋଜନ ପ୍ରଶଂସନୀୟ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଭାରତୀୟ କଳା ଓ ଭାଷାକୁ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ର ପରିଚୟକୁ ଏହା ଆହୁରି ସମୃଦ୍ଧ କରିବ । ଓଡ଼ିଶୀ ସଙ୍ଗୀତର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ମଞ୍ଚରେ ଓଡ଼ିଶା ସମେତ ଦେଶର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ପରିବେଷଣ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପକୁ ଦୃଢ଼ କରୁଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରତିଭାବାନ କଣ୍ଠଶିଳ୍ପୀ ଓ କଳାକାରମାନଙ୍କୁ ସମ୍ମାନିତ କରିଥିଲେ । ସେ ସମସ୍ତ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କର ଉଚ୍ଚକୋଟୀର ପରିବେଷଣ ପାଇଁ ଶୁଭେଚ୍ଛା ଜଣାଇବା ସହ ଏଭଳି ଆୟୋଜନ ପର୍ଯ୍ୟଟକମାନଙ୍କୁ ଓଡ଼ିଶା ଭ୍ରମଣ କରିବା ପାଇଁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *