ନିଶ୍ଚିନ୍ତକୋଇଲି,୧୪/୦୧/୨୦୨୬(ଓଡ଼ିଶା ସମାଚାର)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ସ୍ୱପ୍ନେଶ୍ୱର ଗୌଡ଼ବିଶି ପଡ଼ିଆଠାରେ ବୁଧବାର ମକର ସଂକ୍ରାନ୍ତି ଦିନ ୧୨ ଦିନିଆ ସ୍ୱପ୍ନେଶ୍ୱର କି୍ରକେଟ ପି୍ରମିୟମ ଲିଗ୍ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ଅବସରପ୍ରାପ୍ତ ଜିଲାଜଜ କୁଞ୍ଜବିହାରୀ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ସମ୍ବାଦ ବିଭାଗର ଅବସରପ୍ରାପ୍ତ ଉପନିର୍ଦେଶକ ସୁଧାଂଶୁ ଶେଖର ଧଡ଼ା, ବରିଷ୍ଠ ଶିକ୍ଷାବିତ୍ ଫକୀର ଚରଣ ନାୟକ, ଗୋପବନ୍ଧୁ ବେଉରା ଓ ରୀବନ୍ଦ୍ରନାଥ ପଟ୍ଟନାୟକ, ରାଇଜିଂ ଇଣ୍ଡିଆ ସିଟିଜେନ ଫୋରମର ସାଂଗଠନିକ ସମ୍ପାଦକ ପ୍ରଭାସ ରଞ୍ଜନ ଦାସ, ବିଜୟ କୁମାର ପାତ୍ର, ଦେବୀପ୍ରସାଦ ମହାନ୍ତି ଓ ଦେବାଶିଷ ବେଉରା ପ୍ରମୁଖ କ୍ରୀଡ଼ାବିତ୍ମାନଙ୍କୁ ଉଦବୋଧନ ଦେଇ ଗ୍ରାମାଂଚଳରେ ଯୁବଗୋଷ୍ଠୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦିଆଗଲେ ସେମାନେ ଜାତୀୟସ୍ତରର କ୍ରୀଡ଼ାବିତ୍ ହୋଇ ବାହାରିବେ ବୋଲି କହିଥିଲେ ।
ଏଥିସହିତ ଏହି ପଡ଼ିଆରେ ବର୍ଷତମାମ ଅନ୍ୟାନ୍ୟ କ୍ରୀଡ଼ା ଓ ଖେଳକୁଦ ଆଦି ଆୟୋଜନ କରାଗଲେ ସାମଗ୍ରିକ ଭାବେ ଗ୍ରାମୀଣ କ୍ରୀଡ଼ାର ଉନ୍ନତି ହେବ ବୋଲି ମତ ଦେଇଥିଲେ । ଏହି ପଡ଼ିଆରେ ବିନ୍ଦୁ ସାଗର ମହାନ୍ତି ମେମୋରିଆଲ ଟ୍ରଫି ହାସଲ କରିବା ନିମିତ କଟକ ସଦର ବ୍ଲକ, କେନ୍ଦ୍ରାପଡ଼ା ବ୍ଲକ, ନିଶ୍ଚିନ୍ତକୋଇଲି ବ୍ଲକ, ମାହାଙ୍ଗା ବ୍ଲକ, ଗରଦପୁର ବ୍ଲକ, ଡ଼େରାବିଶ ବ୍ଲକ ଓ ସାଲେପୁର ବ୍ଲକ ଆଦି ୭ଟି ବ୍ଲକର ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି କ୍ରିକେଟ ଟୁର୍ଣ୍ଣାମେଂଟ ଉତ୍ସାହ ପରିବାର ଓ ସ୍ୱପ୍ନେଶ୍ୱର କି୍ରକେଟ କ୍ଲବ ପିଠାପଡ଼ା ଆୟୋଜନ କରିଛନ୍ତି ।

ଉଦଘାଟନ ଉତ୍ସବର ପ୍ରଥମ ମ୍ୟାଚ୍ ନିଶ୍ଚିନ୍ତକୋଇଲି ଓ ମଲ୍ଲିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନିଶ୍ଚିନ୍ତକୋଇଲି ୬ ୱିକେଟରେ ମଲ୍ଲିପୁରକୁ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ୍ ରେ ସାଲେପୁର ଡିଡିଏଲ୍ ଓ ଗରାମ କ୍ରିକେଟ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ସାଲେପୁର ଡିଡିଏଲ୍ ୪ ୱିକେଟରେ ଗରାମକୁ ପରାସ୍ତ କରିଥିଲା । ରାଜେଶ ସ୍ୱାଇଁ ଓ ଦେବେନ୍ଦ୍ର ମଲ୍ଲିକ ମ୍ୟାଚ୍ ପରିଚାଳନା କରିଥିଲେ । କେଦାର ଓଝା ଓ ହୃଷିକେଶ ପଣ୍ଡା କ୍ରିକେଟ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ । ଖେଳ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯିବା ସହିତ ସ୍ୱର୍ଗତ ବିନ୍ଦୁସାଗର ମହାନ୍ତିଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଆସନ୍ତା ୨୫ ତାରିଖ ଦିନ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
