କଟକ ଜିଲାର ପ୍ରଥମ ସଂପୂର୍ଣ୍ଣ ସୌର ଶକ୍ତିସମ୍ପନ୍ନ ଗାଁ ହେଲା ଓଲବ ଓ ଦେବଭୂମି

କଟକ,୦୯/୦୧/୨୦୨୬(ଓଡ଼ିଶା ସମାଚାର)- କଟକ ଜିଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଓଲବ ଓ ଦେବଭୂମି ଗ୍ରାମ ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଭାବେ ପରିଚୟ ଲାଭ କରିଛି । ବିଧାୟକ ବିଜୟ ଦଳବେହେରା ଓ ଜିଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ ଏହି ୨ଟି ଗାଁର ସଂପୂର୍ଣ୍ଣ ସୌରଶକ୍ତିକରଣ ପ୍ରକଳ୍ପକୁ ଉଦଘାଟନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।

ପିଏମ ସୂର୍ଯ୍ୟଘର ଯୋଜନା ଦ୍ୱାରା ସମସ୍ତ ଆଦିବାସୀ ଅଧ୍ୟୁଶିତ ଅଂଚଳରେ ଏହି ସୌରଶକ୍ତି ପ୍ୟାନେଲ ଲଗାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଧାୟକ ଶ୍ରୀ ଦଳ ବେହେରା ପ୍ରକାଶ କରିଛନ୍ତି । ଉଭୟ ଗାଁ ଲୋକେ ଏବେ ସୌରଶକ୍ତି ଦ୍ୱାରା ବିଜୁଳି ପାଇବା ସହ ବିଦୁ୍ୟତ ଦେୟ ମଧ୍ୟ ହ୍ରାସ ପାଇବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଲବ ଗାଁରେ ୫୧ଟି ଘର ଓ ଦେବଭୂମିର ୨୯ଟି ଘରେ ସୋଲାର ପ୍ୟାନେଲ ଲଗାଯାଇଛି ।

ଏହାଦ୍ୱାରା କମ ଭୋଲଟେଜ ଓ ବାରମ୍ବାର ବିଦୁ୍ୟତ କାଟରୁ ମଧ୍ୟ ଗ୍ରାମବାସୀ ରକ୍ଷା ପାଇପାରିବେ ବୋଲି ଜିଲାପାଳ ଶ୍ରୀ ସିନ୍ଦେ କହିଛନ୍ତି । ପ୍ରାୟ ୨୫ ଦିନ ମଧ୍ୟରେ ଏହି ସୋଲାର ପ୍ୟାନେଲ ସ୍ଥାପନ କାର୍ଯ୍ୟ ସଂପନ୍ନ ହୋଇଛି । ଏହି ସୋଲାର ପ୍ୟାନେଲ ପାଇଁ କେନ୍ଦ୍ରସରକାର ୩୦ହଜାର ଟଙ୍କା ଓ ରାଜ୍ୟ ସରକାର ୨୫ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାବେଳେ ଉପଭୋକ୍ତାଙ୍କ ଅଂଶର ପଥ ଜିଲା ପ୍ରଶାସନ ପକ୍ଷରୁ ଜିଲା ଖଚ୍ଚିଜ ପାଣ୍ଠିରୁ ବହନ କରାଯାଇଛି । ଏହା ଶକ୍ତି ଆମ୍ଭନିର୍ଭରଶୀଳତା ଏବଂ ପରିବେଶଗତ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ହିତାଧିକାରୀ ପରିବାର ପାଇଁ ବିଦୁ୍ୟତ ଖର୍ଚ୍ଚକୁ ମଧ୍ୟ ଯଥେଷ୍ଟ ହ୍ରାସ କରିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଆଠଗଡ଼ ଉପଜିଲାପାଳ ପ୍ରହ୍ଲାଦ ନାରାୟଣ ଶର୍ମାଙ୍କ ସହିତ ଟାଟା ପାୱାରର ଉପଖଣ୍ଡ ପରିଚାଳକ ଜିତେନ୍ଦ୍ର ପାତ୍ର, ପ୍ରକଳ୍ପ ମୁଖ୍ୟ ବସନ୍ତ ତରିଆ ଓ ଅମିତ ସେନଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *