ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

ନଭେମ୍ବର୨୦ରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବେ ରାଷ୍ଟ୍ରପତି

ଛତିଶଗଡ଼ ର ଅମ୍ବିକାପୁର ଠାରେ ଆୟୋଜିତ     ‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେବେ।

୨୭ରେ ଭୁବନେଶ୍ୱର ଆସି ଓଡ଼ିଶା ବିଧାନସଭା କୁ ସମ୍ଭୋଧିତ କରିବେ ।

ରାଜଭବନ ରେ ନୂଆ କଳିଙ୍ଗ ଅତିଥି ନିବାସର ହେବ ଶୁଭ ଉଦ୍ଘାଟନ ।

ମୁଖ୍ୟଶାସନସଚିବ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଭୁବନେଶ୍ୱର, ୧୩/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଆଗାମୀ ନଭେମ୍ବର୨୦ ତାରିଖରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ନଭେମ୍ବର ୨୭ରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶା ଆସି ରାଜଭବନ ରେ ନୂଆ କଳିଙ୍ଗ ଅତିଥି ନିବାସର  ଶୁଭ ଉଦ୍ଘାଟନ କରିବା ସହିତ ଓଡ଼ିଶା ବିଧାନସଭାକୁ ସମ୍ଭୋଧିତ କରିବେ ।  ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରସ୍ତୁତି ନେଇ ଆଜି ପୂର୍ବାହ୍ନରେ  ମୁଖ୍ୟଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ପରେ ଅପରାହ୍ଣରେ ଓଡ଼ିଶା ବିଧାନ ସଭାରେ ସ୍ୱତନ୍ତ୍ର ପ୍ରକୋଷ୍ଠରେ  ମଧ୍ୟ ମାନ୍ୟବର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

       ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ତରଫରୁ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ସୂଚନା ଅନୁଯାୟୀ ସେଦିନ ମାନ୍ୟବର ରାଷ୍ଟ୍ରପତି ଛତିଶଗଡ଼ ର ଅମ୍ବିକାପୁର ଠାରେ ‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେବେ।ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ସେଦିନ ସକାଳ୮ଟା ୨୫ମି ସମୟରୁ ନୂଆ ଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ସକାଳ୧୦ଟା ୦୫ମି ରେ ଝାରସୁଗୁଡ଼ା ସ୍ଥିତ ବୀରସୁରେନ୍ଦ୍ରସାଏ ବିମାନ ବନ୍ଦରରେ ଅବତରଣ କରିବେ।ସେଠାରୁ ସେ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଯାଇ ଛତିଶଗଡ଼ ର ଅମ୍ବିକାପୁର ସ୍ଥିତ ଗାନ୍ଧି ଷ୍ଟାଡିୟମ ଠାରେ ଓହ୍ଲାଇ ସ୍ଥାନୀୟ ପି.ଜି କଲେଜ ପଡ଼ିଆଠାରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ବାହାରି ପୁନଶ୍ଚ ଝାରସୁଗୁଡ଼ା ଦେଇ ସେଦିନ ଅପରାହ୍ନ୧ ଟା ୪୫ମି.ସୁଦ୍ଧା ଆନ୍ଧ୍ରପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଙ୍କ ଝାରସୁଗୁଡା ଠାରେ ଅବତରଣ ଏବଂ ସେଠାରେ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ସାମୟିକ ରହଣି ନିମନ୍ତେ ଜିଲ୍ଲାପାଳ ଓ ଏସପି ଝାରସୁଗୁଡା ଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା। ତତ୍ ସହିତ ସୁରକ୍ଷା ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା, ଚିକିତ୍ସା ଓ ସ୍ୱାସ୍ଥ୍ୟ ଯତ୍ନ ଆଦି ଆନୁଷ୍ଠାନିକ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

       ସେହିପରି ମାନ୍ୟବର ରାଷ୍ଟ୍ରପତିଙ୍କ ନଭେମ୍ବର୨୭ତାରିଖରେ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲେ । ସେଦିନ ମାନ୍ୟବର ରାଷ୍ଟ୍ରପତି ପୂର୍ବାହ୍ନ୧୧ ଟା ୫୦ମି. ସମୟରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ଣ୨ ଟା  ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନରେ ପହଞ୍ଚିବେ । ମାନ୍ୟବର ରାଷ୍ଟପତି ମଧ୍ୟାନ୍ନ ବିରତି ପରେ ଅପରାହ୍ଣ୪ଟା ସମୟରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ର ଗୃହ ଉଦ୍ଘାଟନ କରିବେ। ଅପରାହ୍ଣ ୪.୨୦ମି. ରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ଏବଂ୪.୩୦ରୁ୫.୩୦ ପର୍ଯ୍ୟନ୍ତ ବିଧାନ ସଭାର ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ବୋଧନ କରିବେ । ପରେ ପରେ ସେଦିନ ମାନ୍ୟବର ରାଷ୍ଟ୍ରପତି ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ ରାତ୍ର ଭୋଜନ କାର୍ଯ୍ୟକ୍ରମରେ ଯୋଗଦେବେ ଓ ତହି ପରଦିନ ୨୮ତାରିଖ ସକାଳୁ୯ ଟା ୩୫ମି.ରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲକ୍ଷ୍ନୌ ବିମାନବନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

       ୨୭ତାରିଖରେ ମାନ୍ୟବର ରାଷ୍ଟ୍ରପତି ଙ୍କ ଆଗମନ ଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତିଙ୍କ ର ସୁରକ୍ଷା,ରାଜଭବନ ରେ ରହଣି, କାରକେଡ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା,କାର୍ଯ୍ୟକ୍ରମ ରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ବ୍ୟବସ୍ଥା ଆବଶ୍ୟକ ପାସ୍ ବ୍ୟବସ୍ଥା ଏବଂ ଗଣମାଧ୍ୟମରେ ପ୍ରଚାର ପ୍ରସାର ସଂପର୍କରେ ଆଲୋଚନା କରାଯାଇଥିଲା।

       ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁଗର୍ଗ, ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ  ଶ୍ରୀ ଓ୍ୱାଇ.ବି.ଖୁରାନିଆ, ଅଗ୍ନିସେବା ଡିଜି ଡଃ.ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରାଜ୍ୟପାଳଙ୍କ କମିଶନର ତଥା ଶାସନସଚିବ, ବିଧାନସଭା ସଚିବ, ଭୁବନେଶ୍ୱର-କଟକ ପୋଲିସ୍ କମିଶନର, ଜିଲ୍ଲାପାଳ, ଖୋର୍ଦ୍ଧା ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

       ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦାୟିତ୍ୱର ସହ ନିର୍ବାହ କରିବାକୁ ମୁଖ୍ୟଶାସନସଚିବ ସମସ୍ତ ବିଭାଗର ଅଧିକାରୀ ତଥା ପୁଲିସ ପ୍ରଶାସନ କର୍ତ୍ତୃପକ୍ଷ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶଓ ପରାମର୍ଶ ଦେଇଛନ୍ତି।

-0-

ପଠାଣିରାଉତ,ମୁଖ୍ୟଶାସନସଚିବଙ୍କଲୋକସଂପର୍କଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *