ଭୁବନେଶ୍ୱର,୨୮/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବରଗଡ଼ ରୋଡ-ନୂଆପଡ଼ା ରୋଡ୍ ନୂତନ ରେଳପଥ ପାଇଁ ବରଗଡ଼ର ପୂର୍ବତନ ଲୋକସଭା ସାଂସଦ ଓ ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦୀର୍ଘଦିନ ଧରି ରେଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରି ଆସୁଥିବାବେଳେ ବର୍ତ୍ତମାନ ଏହି ପ୍ରସ୍ତାବିତ ରେଳପଥକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି ମିଳିଛି ।
ଏଠାରେ ସୂଚନାଯୋଗ୍ୟ ଯେ ଏହି ୧୩୮ କିମି ନୂତନ ରେଳପଥ ପାଇଁ ୨ ହଜାର ୯୨୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏହା ଦ୍ୱାରା କୃଷିସମୃଦ୍ଧ ବରଗଡ଼ ଓ ନୂଆପଡ଼ା ଜିଲ୍ଲା ସହ ପଦ୍ମପୁର ଉପଖଣ୍ଡ ଦେଇ ସମ୍ବଲପୁର, ଝାରସୁଗୁଡ଼ା ଭଳି ଆଗୁଆ ଶିଳ୍ପାଞ୍ଚଳ ସହ ରେଳପଥ ମାଧ୍ୟମରେ ସଂଯୁକ୍ତ ହୋଇପାରିବ । ଏହି ରେଳପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପୂର୍ବ ପ୍ରସ୍ତୁତି କରିସାରିଥିବାବେଳେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜମି ହସ୍ତାନ୍ତର କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ।
ଏହି ନୂତନ ରେଳପଥ ଦ୍ୱାରା ୪୭ ଲକ୍ଷ କର୍ମଦିବସ ସୃଷ୍ଟି ହୋଇପାରିବ । ଏଥିରେ ବରଗଡ଼ ଓ ନୂଆପଡ଼ା ଦୁଇଟି ଷ୍ଟେସନ୍ ଥିବାବେଳେ ଆହୁରି ୧୧ଟି ନୂଆ ଷ୍ଟେସନ୍ ସ୍ଥାପନ ହେବ । ଏହା ମଧ୍ୟରେ ୮୯ଟି ବଡ଼ ବ୍ରିଜ ଥିବାବେଳେ ୧୭୮ଟି ଛୋଟ ବି୍ରଜ ଓ ୯୧ଟି ରେଳ ଫ୍ଲାଇଓଭର ଓ ଅଣ୍ଡର ବି୍ରଜ୍ ନିର୍ମାଣ ହେବ । ଏହି ରେଳପଥ ପାଇଁ ମୋଟ ୯୨୪.୬୪ ହେକଫର ଜମି ଆବଶ୍ୟକ ଥିବାବେଳେ ସେଥି ମଧ୍ୟରୁ ବରଗଡ଼ ଜିଲ୍ଲାରେ ୪୮୯.୪୫ ହେକଫର ଓ ନୂଆପଡ଼ା ଜିଲ୍ଲାରେ ୭୬.୧୯ ହେକଫର ଜମି ପ୍ରସ୍ତାବିତ ରେଳପଥ ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ ।
ଏହି ମଞ୍ଜୁରିପ୍ରାପ୍ତ ରେଳ ପ୍ରକଳ୍ପ ପାଇଁ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କେନ୍ଦ୍ର ରେଳ ମନ୍ତ୍ରଣାଳୟ, ବିଶେଷ କରି, କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।