ପାଟକୁରା ୦୯/୦୧/୨୦୨୬ (ଓଡିଶା ସମାଚାର)- ଆଜି ଗରଦପୁର ବ୍ଳକ ଅଧୀନ ବେଡାରୀ ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟନ ହୋଇଛି । ଓଜନ ମେସିନ, ଗ୍ରେଡ଼ର ମେସିନ ଓ ଧାନ ବସ୍ତା ରଖାଯାଇ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି ମଧ୍ୟରେ ପୂଜା ପାଠ କରାଯାଇ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା । ଏଠାରେ ସମବାୟ ସମିତିର ପଞ୍ଜିକୃତ କୃଷକମାନେ ଧାନ କୁଇଣ୍ଟାଲ ପିଛା ସରକାରୀ ଧର୍ୟ୍ୟ ମୂଲ୍ୟ ୨୩୬୯ଟଙ୍କା ସହିତ ଇନପୁଟ ସହାୟତା ରାଶି ୮୦୦ଟଙ୍କା ମିଶି ସମୁଦାୟ ୩୧୦୦ଟଙ୍କାରେ ବିକ୍ରି କରିପାରିବେ ।
ବେଡାରୀ ସେବା ସମବାୟ ସମିତିରେ ମୋଟ ୨୯୯ଜଣ କୃଷକ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଏହି ସେବାସମବାୟ ସମିତି ଅଧୀନରେ ବେଡାରୀ ଗ୍ରାମ ପଂଚାୟତର ସାତଗୋଟି ରାଜସ୍ବ ଗ୍ରାମ, ପଦ୍ମପୁର ଗ୍ରାମପଞ୍ଚାୟତ ର ଛଅ ଗୋଟି ରାଜସ୍ବ ଗ୍ରାମ ଓ ପାଟକୁରା ଗ୍ରାମପଞ୍ଚାୟତ ର ଗୋଟିଏ ରାଜସ୍ବ ଗ୍ରାମ ଅନ୍ତର୍ଭୁକ୍ତଅଛି ।
ଉଦ୍ଘାଟନୀ ଉତ୍ସବରେ ସଭାପତି ଘନଶ୍ୟାମ ସ୍ୱାଇଁ, ବେଡାରୀ ରାଜସ୍ୱ ନିରୀକ୍ଷକ ଜିତାମିତ୍ରା ସ୍ୱାଇଁ, ସମିତି ସମ୍ପାଦକ ଉମାକାନ୍ତ ସାହୁ, ଚିତ୍ତରଞ୍ଜନ ଚୌଧୁରୀ, ଲବ ସାମଲ ଓ ଗିରିଶ ଜେନା ପ୍ରମୁଖ ପ୍ରୋକ୍ୟୁରମେଣ୍ଟ କମିଟି ସଦସ୍ୟ ଭାବେ ଉପସ୍ଥିତ ଥିଲେ ।
ବୋର୍ଡ ନିର୍ଦେଶନା ମଣ୍ଡଳୀ ସଭ୍ୟଭାବେ ଜୀବନାନନ୍ଦ ଚୌଧୁରୀ, ଦିଲ୍ଲୀପ ସାହୁ, କାଙ୍ଗାଳି ଚରଣ ବେହେରା ଭଜହଁରି ସେନାପତି ମଧ୍ୟ ଉପସ୍ଥିତଥିଲେ । ଏତତ ବ୍ୟତୀତ ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ପୂର୍ବତନ ସମିତି ସଭାପତି ସୁବାସ ଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ବାରିକ, ଶିକ୍ଷାବିତ ଧ୍ରୁବ ଚରଣ ସାହୁ, ଆଗ୍ରଣୀ କୃଷକ ରବୀନ୍ଦ୍ର ନାଥ ସାହୁଙ୍କ ସମେତ ଅନେକ ଅଗ୍ରଣୀ କୃଷକ ମଧ୍ୟ ଉପସ୍ଥିତ ଥିଲେ । ମଣ୍ଡି ଉଦଘାଟନ ହୋଇଥିଲେସୁଦ୍ଧା କେବେ ଚାଷୀଙ୍କ ଠାରୁ ଧାନ କିଣାହେବ ସେ ବାବଦରେ ସମିତି ସଭାପତି ଘନଶ୍ୟାମ ସ୍ୱାଇଁ ନିର୍ଦିଷ୍ଟ ଭାବେ କିଛି କହି ନଥିଲେ ।
