ଭୁବନେଶ୍ୱର,୦୧/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିନରେ ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ ପୂଜା ଓ ଦୀପାବଳି ଉତ୍ସବ ଏବଂ ଏହାକୁ ସେ ନିଜ ଗାଁରେ ପାଳନ କଲେ। ପ୍ରଥମେ ସେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ ପାଇଁ ସଜାଇ ହେଇଥିଲା ରାଇକଳା ଗାଁ । ଗାଁ ଦାଣ୍ଡରେ ଝିଅ, ବୋହୁ ମାନେ ମୁରୁଜ ପକାଇଥିଲେ । ଏଥି ସହିତ କଳସ ସଜାଯାଇଥିଲା । ମୁଖ୍ୟମନ୍ତ୍ରୀ ଗାଁକୁ ଆସିଲା ପରେ ଆରମ୍ଭ ହେଇଥିଲା ସ୍ଵାଗତ ସମ୍ବର୍ଦ୍ଧନାର ପର୍ବ । କାଳୀପୂଜାରେ ଘରେ ପୂଜା କରିବା ସହ , ଗାଁରେ ଲୋକଙ୍କ ସହିତ ନିଜକୁ ଏଥିରେ ସାମିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ।
କାଳୀ ପୂଜାକୁ ସାନ୍ତାଳୀ ଭାଷା ରେ ‘ ସହରାଇ ‘ (ପେ ମାହଁଆ ) ବୋଲି କୁହାଯାଏ। ସହରାଇ (ପେ ମାହଁଆ) ୩ଦିନ ଧରି ପାଳନ କରାଯାଏ । ପ୍ରଥମ ଦିନ କୁ ‘ଗୋଟବଙ୍କା ‘ ନାମରେ ପାଳନ କରାଯାଏ। ସେହିଦିନ ଅଣ୍ଡା ପୂଜା କରି ସାହି ର ସବୁ ବଳଦ ଗାଇ କୁ ନେ଼ଇ ଅଣ୍ଡା ମଡାଯାଏ, ଦ୍ୱିତୀୟ ଦିନ କୁ ଗୋବର୍ଦ୍ଧନ ପୂଜା । ସାନ୍ତାଳୀ ଭାଷା ରେ ତାକୁ ‘ଖଳା ବଙ୍କା ‘ବୋଲି କୁହାଯାଏ, ଏହି ଦିନ କୁକୁଡା ପୂଜା କରାଯାଏ।
ତୃତୀୟ ଦିନ ‘ବୁଢ଼ୀ ବନ୍ଦନା ‘ ତାକୁ ସାନ୍ତାଳୀ ଭାଷାରେ ‘ଗାଏ ଖୁଣ୍ଟଉ ‘ ବୋଲି କୁହାଯାଏ, ସେହିଦିନ ବଳଦ ଗାଇ ମାନଙ୍କୁ ବନ୍ଦାପନା କରାଯାଇଥାଏ, ତାକୁ ସାନ୍ତାଳୀ ଭାଷା ରେ ‘ଚୁମାଣା ‘ବୋଲି କୁହାଯାଏ, ଏହିପରି ୩ ଦିନ ସହରାଇ ପାଳନ କରାଯାଏ ।
ଏହା ଅବସରରେ ମୁଖ୍ୟମନ୍ତ୍ରୀ ମାଦଳ ବଜାଇ ଗ୍ରାମବାସୀଙ୍କ ସହ ସହରାଇ ପୂଜା ମନାଇଥିଲେ । ଶେଷରେ ଝିରିଝିରି ବାଣ ଫୂଟାଇ ଦୀପାବଳିମନାଇବା ସହିତ ରାଜ୍ୟବାସୀଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଥିଲେ ।
ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳାରେ ପାରମ୍ପରିକ ପୂଜାରେ ଯୋଗ ଦେବା ପରେ ଭୁବନେଶ୍ଵର ଫେରିଯିବାର କାର୍ଯ୍ୟକ୍ରମ ରହିଛି।