ସାଲେପୁର ,୦୫/୦୧/୨୦୨୬ (ଓଡ଼ିଶା ସମାଚାର)- ସାଲେପୁର ଅଞ୍ଚଳରେ ସରକାରୀ ନିୟମକୁ ବେଖାତିର କରି ପ୍ରତିବନ୍ଧକ ଲଗାଯାଇଥିବା ଅଶ୍ଳୀଳ ୱେବସାଇଟ୍ ବାରମ୍ବାର ଦେଖୁବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ସାଲେପୁର ଥାନା ଅଧୀ ଧୀନ ମାତନଗର ଗ୍ରାମର ସୟଦ୍ ଖାଁ ସୂଚନା ଅନୁଯାୟୀ, ସୟଦ୍ ନିଜ ମୋବାଇଲ୍ ଫୋନ୍ ମାଧ୍ୟମରେ ସରକାରଙ୍କ ଦ୍ବାରା ନିଷିଦ୍ଧ କରାଯାଇଥିବା ବିଭିନ୍ନ ଅଶ୍ଳୀଳ ୱେବସାଇଟ୍କୁ ବାରମ୍ବାର ଖୋଲି ଭିଡିଓ ଦେଖୁଥିଲେ । ଏହି ବେଆଇନ କାର୍ଯ୍ୟକଳାପ ଉପରେ କ୍ରାଇମବ୍ରାଞ୍ଚ କଡ଼ା ନଜର ରଖୁଥୁବା ବେଳେ ସୟଦ୍ଙ୍କ ମୋବାଇଲ୍ ଆକ୍ଟିଭିଟିକୁ ଟ୍ରାକ୍ କରାଯାଇ ସାଲେପୁର ପୁଲିସକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା।
କ୍ରାଇମବ୍ରାଞ୍ଚରୁ ସୂଚନା ପାଇବା ପରେ ସାଲେପୁର ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ନିଜ ଆଡୁ କେସ୍ ନଂ-୪/୨୬ରେ ଏକ ମାମଲା ରୁଜୁ କରିଥିଲେ। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ମୋବାଇଲ୍ ଫୋନ୍କୁ ଜବତ କରିଛି। ସାମ୍ପ୍ରତିକ ସମୟରେ ସାଇବର ମନିଟରିଂ ବ୍ୟବସ୍ଥା ଅତ୍ୟନ୍ତ ସକ୍ରିୟ ଥିବାରୁ ସରକାରଙ୍କ ଦ୍ବାରା ପ୍ରତିବନ୍ଧକ ଲଗାଯାଇଥିବା କୌଣସି ବି ୱେବସାଇଟ୍ କିମ୍ବା ଆପ୍ ବ୍ୟବହାର ନ କରିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ସରକାରୀ ନିୟମ ଉଲଂଘନ କଲେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାବନୀ ଦେଇଛି।
