ବିଏମସି, ବିଡ଼ିଏର ଉଚ୍ଛେଦ ବିରୁଦ୍ଧରେ ଉଠାଦୋକାନୀଙ୍କ ମେଳି

ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଘରାଉ ଚେତାବନୀ
ଭୁବନେଶ୍ୱର,୦୩/୦୧/୨୦୨୬ (ଓଡ଼ିଶା ସମାଚାର)- ଗତ କିଛିଦିନ ହେବ ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଉଠାଦୋକାନୀ ଆଇନ ନ ମାନି ଯେଉଁଭଳି ଭାବରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିଚାଲିଛନ୍ତି , ତାହା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ ଘଟଣା । ଏଠାରେ ସୂଚନାଥାଉକି, ବିଏମସି, ବିଡ଼ିଏ ଉତର ଜୋନ ଅଂଚଳରେ ପାଖାପାଖି ୪୦୦୦ରୁ ଅଧିକ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିଥିବା ବେଳେ ରେଂଟାଲ ଜୋନ ଓ କଳ୍ପନା ବିଏମସି ଜୋନ ଅଂଚଳରେ ପାଖାପାଖି ୫୦୦୦ରୁ ଅଧିକ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରି ସେମାନଙ୍କ ପରିବାରକୁ ଦାଣ୍ଡର ଭିକାରି କରିଦେଇଛି । ଏହାର ପ୍ରତିବାଦରେ ଶନିବାର ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ଏବଂ ନିଖିଳ ଉତ୍କଳ ସୁରକ୍ଷା କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମହାସଂଘ ତରଫରୁ ଆଇଜି ପାର୍କରେ ପାଖାପାଖି ୧୦୦ରୁ ଅଧିକ ଉଠାଦୋକାନୀ ସଂଘର କର୍ମକର୍ତା ଯୋଗଦେଇ ବିଏମସି ଓ ବିଡ଼ିଏ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉତୋଳନ କରିଥିଲେ ।


ବିଏମସି ଓ ବିଡ଼ିଏର ସ୍କ୍ୱାର୍ଡ଼ ଉଚ୍ଛେଦ ସମୟରେ ଉଠାଦୋକାନୀ ଆଇନ୍ ଓ ସମ୍ବିଧାନକୁ ନ ମାନି ମନମୁଖୀ ଉଚ୍ଛେଦ କରିବା, ଦୋକାନୀମାନଙ୍କୁ ଧମକ ଚମକ ଦେବା, ଉଚ୍ଛେଦ ସମୟରେ ଦୋକାନୀମାନଙ୍କ ସାମଗ୍ରୀଗୁଡ଼ିକୁ ତାଲିକାଭୁକ୍ତ ନକରିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ କରିଥିଲେ । ଏହି ବୈଠକରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ନିରଞ୍ଜନ ପାଣ୍ଡେ, ସସ୍ମିତା ସାହୁ, ସୂର୍ଯ୍ୟମଣି ସାହୁ, ସୂର୍ଯ୍ୟକାନ୍ତ ପଣ୍ଡା, ସୁଶାନ୍ତ ରାଉତ, ଶ୍ୟାମସୁନ୍ଦର କଅଁର, ଶରତ କୁମାର ସାହୁ, ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ମୁରଲୀଧର ଜେନା, ପ୍ରଶାନ୍ତ ନାୟକ, ସୁଦର୍ଶନ ସାହୁ, ଲକ୍ଷ୍ମୀଧର ପ୍ରଧାନ, ବାନାମ୍ବର ମହାପାତ୍ର, ସତ୍ୟବ୍ରତ ରାଉତ, ଏମ୍ଡ଼ି ଗୁଲଜର, ରଶ୍ମିତା ପାତ୍ର, ରେଣୁବାଳା ରାଉତ, ମନୋଜ ରଥ ପ୍ରମୁଖ ଯୋଗଦେଇ ସେମାନଙ୍କ କ୍ଷୋଭ ପ୍ରକାଶ କରିବା ସହ ବିଏମସି ଓ ବିଡ଼ିଏ ବିରୁଦ୍ଧରେ ସ୍ୱର ଉତୋଳନ କରିଥିଲେ । ଏହାସତ୍ୱେ ଯଦି ବିଏମସି ଓ ବିଡ଼ିଏର ସ୍କ୍ୱାର୍ଡ଼ ଉଠାଦୋକାନୀ ଉଚ୍ଛେଦ ବନ୍ଦ ନ କରନ୍ତି ତେବେ ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନ ଏବଂ ବିଏମସି ଓ ବିଡ଼ିଏ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *