କେନ୍ଦ୍ରାପଡ଼ା,୩୦/୧୨/୨୦୨୫(ଓଡ଼ିଶା ସମାଚାର)-ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ ଆର. ଆୟର ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ରାପଡା ଜିଲାରେ ଜିଲାଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଓସ୍ୱାସ ଫାଇଲ କାର୍ଯ୍ୟ, ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଛଡା ପ୍ରତ୍ୟେକ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଏବଂ ପୂର୍ବରୁ ଅଭିଯୋଗ ଶୁଣାଣି ଶିବିରରେ ଆସିଥିବା ଅଭିଯୋଗ ଗୁଡିକର ସମୀକ୍ଷା ସହ ୧ ତାରିଖରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୦ଟି ନୂତନ ଶଯ୍ୟା ଆରମ୍ଭ କରାଯାଉଥିବା ଜିଲାପାଳ କହିଛନ୍ତି ।
ଏହାଛଡା ଏମଏସଏମଇ ପାର୍କ ନିର୍ମାଣ ହେବ ବୋଲି ଜିଲାପାଳ କହିଛନ୍ତି । ଏତଦ୍ବ୍ୟତୀତ ସାମ୍ବାଦିକ ମାନେ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ । ରାସ୍ତା, ଜଳସେଚନ, ପାନୀୟ ଜଳ, ଟ୍ରାଫିକ ସମସ୍ୟା, ଭୁତଳ ଜଳ, ରାସ୍ତା ପ୍ରଶକ୍ତିକରଣ, ବେଆଇନ ପାର୍କିଂ, ଦାଦନ ସମସ୍ୟା ସମେତ ସାମ୍ବାଦିକଙ୍କ ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଗୃହ ଯୋଗାଇଦେବା ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଉପସ୍ଥିତ ଥିଲେ ।
