କେନ୍ଦ୍ରାପଡା, ୩୦/୦୪/୨୦୨୫ (ଓଡିଶା ସମାଚାର )-ଆଜି ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦ୍ରାପଡ଼ା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୂଳ ଓ଼ କୃଷକ ଦିବସ ପାଳନ କରାଯାଇଛି । କେନ୍ଦ୍ରାପଡା ଏଡିଏମ ରବୀନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୂଳ ଓ଼ କୃଷକ ଦିବସ କାର୍ଯ୍ୟକ୍ରମରେ ଅନେକ ବରିଷ୍ଟ କୃଷି ଅଧିକାରୀ ମାନେ ଭାଗନେଇଥିଲେ । ଆଜି ପବିତ୍ର ଅକ୍ଷୟ ତୃତୀୟା ଦିନରେ ଓଡ଼ିଶାର ଆରାଧ୍ୟ ଦେବତା ପୁରୀର ଜଗନାଥଙ୍କ ରଥ ତିଆରିକାର୍ଯ୍ୟର ଶୁଭ ଅନୁକୂଳ ହୋଇଥାଏ ।

ଏହି ଶୁଭ ଦିନରେ ମଧ୍ୟ ଓଡ଼ିଶାର ଚାଷୀ ଭାଇମାନେ ସେମାନଙ୍କ ଚାଷକାର୍ଯ୍ୟ ପାଇଁମାଟି ମା କୁ ପୂଜା କରି ଅଖିମୁଠି ଅନୁକୂଳ କରିଥାନ୍ତି । ଅନୁକୂଳ ପାଣିପାଗ ଓ଼ ବାତାବରଣ ଉପରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ନିର୍ଭର କରୁଥିବାରୁ ଚାଷୀଭାଇମାନେ ଏହାକୁ ନିଷ୍ଠାରସହ ପୂଜା କରି ଭଲମନରେ ଠାକୁରଙ୍କ ଉପରେ ଭରସା ରଖି ଚାଷକାର୍ଯ୍ୟ ଆରମ୍ଭ କରନ୍ତି ବୋଲି କୃଷିଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । କୃଷକ ମାନେ ନିଷ୍ଠାର ସହ ଭଲ ବିହନ ଚୟନ କରି ସଠିକ ଢଙ୍ଗରେକୃଷି ଅଧିକାରୀଙ୍କ ପରାମର୍ଶରେ ରୋଗ ପୋକ ପରିଚାଳନା କଲେ ଭଲ ଫସଲ ଅମଳ କରିପାରିବେ ବୋଲି ଉପସ୍ଥିତ କୃଷିଅଧିକାରୀମାନେ ପରାମର୍ଶ ଦେଇଥିଲେ ।
କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କମଳାକାନ୍ତ ପାଣିଗ୍ରାହୀ, କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟବୈଜ୍ଞାନିକ ଡ଼ ଅରବିନ୍ଦ କୁମାର ଦାଶ, ଗରଦପୁର କୃଷି ଅଧିକାରୀ ଡ଼ ଗୌତମ କୁମାର ଦାଶ, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦେଶକ ଦେବୀଦାସ ଦତ୍ତ ପ୍ରମୁଖ କୃଷକ ମାନଙ୍କୁ ଅନେକ ଉପାଦେୟ କୃଷି ପରାମର୍ଶ ଦେଇଥିଲେ । ଜିଲ୍ଲାର ନଅ ଗୋଟି ବ୍ଲକରେ ଥିବା କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ଓ଼ ନଅ ଗୋଟି ବ୍ଳକ ଅଂଚଳରୁ ଆସିଥିବା ଆଗୁଆ ଚାଷୀମାନେ ଏହି ସମାବେଶରେ ସାମିଲ ହୋଇଥିଲେ ଓ଼ ବିଜ୍ଞାନ କେନ୍ଦ୍ର ପରିସରରେ ମାଟି ମା ର ପୂଜା କରି ଅଖି ମୁଠି ଅନୁକୂଳ କରିଥିଲେ ।
