କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ  

ମହାନ ସାଂସ୍କୃତିକ ତୀର୍ଥସ୍ଥଳୀ କୁଦୋପାଲି – ଧର୍ମେନ୍ଦ୍ର ପ୍ରଧାନ

• ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ଏବଂ ୫୭ ଜଣ ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ
• ‘ଶହୀଦ ସଂଗ୍ରହାଳୟ’ ବୁଲିବା ସହ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ
• ‘ବୀର ସୁରେନ୍ଦ୍ର ସାଏ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସହ ପିଲାମାନଙ୍କୁ ଫଳ ବିତରଣ କଲେ
• ଏହି ବୀର ମାଟିକୁ ଆସିବା ମୋ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ
• କୁଦୋପାଲିର ଇତିହାସ କେବଳ ଆନ୍ଦୋଳନ ନୁହେଁ, ଏହା ହଜାର ହଜାର ବୀରଙ୍କ ରକ୍ତ ଓ ଆତ୍ମବଳିଦାନର ଗାଥା
• ଏହି ଗୌରବକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ

କୁଦୋପାଲି (ସମ୍ବଲପୁର),୨୯/୧୨/୨୦୨୫ (ଓଡ଼ିଶା ସମାଚାର)-  ୧୮୫୭ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପବିତ୍ର ସ୍ଥଳୀ ସମ୍ବଲପୁରର କୁଦୋପାଲି ଠାରେ ଆୟୋଜିତ ‘ବୀର ଛବିଳ ସାଏ ସ୍ମୃତି ପଦଯାତ୍ରା’ରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ଏବଂ ୫୭ ଜଣ ଅମର ଶହୀଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କୁଦୋପାଲିକୁ ଏକ ମହାନ ସାଂସ୍କୃତିକ ତୀର୍ଥସ୍ଥଳୀ ଭାବେ ଗଢ଼ିତୋଳିବାକୁ ଆହ୍ୱାନ ଦେଇଛନ୍ତି ।

ସୋମବାର କୁଦୋପାଲି ଠାରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି,  ୧୮୫୭ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ କୁଦୋପାଲିର ରଣଭୂମିରେ ୫୩ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ପରେ ଆଉ ୪ ଜଣ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା । ଏହିପରି ୫୭ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ଶହୀଦମାନଙ୍କ ମଧ୍ୟରେ ମହାନ ପରାକ୍ରମୀ ବୀର ସୁରେନ୍ଦ୍ର ସାଏ ଓ ଉଦନ୍ତ ସାଏଙ୍କ ଭାଇ ବୀର ଛବିଳ ସାଏ ମଧ୍ୟ ଥିଲେ । ଏହି ବୀର ମାଟିକୁ ଆସିବା ମୋ ପାଇଁ ସୌଭାଗ୍ୟ ଓ ଗୌରବର ବିଷୟ। କୁଦୋପାଲିର ଇତିହାସ କେବଳ ଆନ୍ଦୋଳନ ନୁହେଁ, ଏହା ହଜାର ହଜାର ବୀରଙ୍କ ରକ୍ତ ଓ ଆତ୍ମବଳିଦାନର ଗାଥା। ଏହି ଗୌରବକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ।

କୁଦୋପାଲିର ମହତ୍ୱ ଜାଲିଆନାୱାଲା ବାଗ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହି ଗୌରବମୟ ଇତିହାସକୁ ସାରା ବିଶ୍ୱରେ ପହଞ୍ଚାଇବା ପାଇଁ କେନ୍ଦ୍ର ଶିକ୍ଷା ବିଭାଗ ଅନ୍ତର୍ଗତ ନ୍ୟାସନାଲ ବୁକ ଟ୍ରଷ୍ଟ(ଏନବିଟି) ପକ୍ଷରୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପୁସ୍ତକ ଲେଖା ଯାଇଛି ଏବଂ ଆଗାମୀ ଦିନରେ ଅନ୍ୟ ମାତୃଭାଷାରେ ପୁସ୍ତକ ପ୍ରକାଶନ ହେବ । ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ସ୍ଥାନକୁ ଏକ ପ୍ରମୁଖ ସାଂସ୍କୃତିକ ପୀଠ ଭାବେ ବିକଶିତ କରାଯିବ । ୨୦୪୭ରେ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳକୁ କୁଦୋପାଲି ଏକ ବୃହତ ସଂଗ୍ରାମୀ ତୀର୍ଥସ୍ଥଳୀରେ ପରିଣତ ହେବାର ଲକ୍ଷ୍ୟ ରଖାଯାଇଛି।

ମନ୍ତ୍ରୀ ଶ୍ରୀ ପ୍ରଧାନ କୁଦୋପାଲି ଠାରେ ‘ବୀର ସୁରେନ୍ଦ୍ର ସାଏ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସହ ପିଲାମାନଙ୍କୁ ଫଳ ବିତରଣ କରିଥିଲେ । ‘ଶହୀଦ ସଂଗ୍ରହାଳୟ’ ବୁଲିବା ସହ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *