ସ୍କାଉଟ୍ସ ଗାଇଡ୍ସ ଜାମ୍ବୋରୀରେ କେନ୍ଦ୍ରାପଡା ଚମ୍ପିୟାନ

କେନ୍ଦ୍ରାପଡ଼ା,୨୯/୧୨/୨୦୨୫(ଓଡ଼ିଶା ସମାଚାର)- ଚଳିତ ମାସ ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲାର ବରୁଣେଇ ଠାରେ ଆୟୋଜିତ ବିଂଶତମ ରାଜ୍ୟସ୍ତରୀୟ ସ୍କାଉଟ୍ସ ଗାଇଡ୍ସ ଜାମ୍ବୋରୀରେ କେନ୍ଦ୍ରାପଡ଼ା ଜିଲାର ଅଭିଯାତ୍ରୀ ଦଳ ଚମ୍ପିୟାନ ହୋଇଛି । ଜିଲା ଟ୍ରେନିଙ୍ଗ କମିଶନର ସରୋଜକାନ୍ତ ବିଶ୍ୱାଳ, ହରପ୍ରିୟା କର ଏବଂ ଯୁଗ୍ମ ସମ୍ପାଦକ ଜ୍ୟୋତିର୍ମୟ ନାୟକଙ୍କ ନେତୃତ୍ୱରେ ଜିଲାର ୯୯ ଜଣ ସ୍କାଉଟ୍ସ ଓ ଗାଇଡ୍ସ, ୫ ଜଣ ସ୍କାଉଟ ମାଷ୍ଟର ଓ ୫ଜଣ ଗାଇଡ଼ କ୍ୟାପଟେନ ଏଥିରେ ଅଂଶଗ୍ରହଣ କରିଥିଲେ ।

ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ବଛା ବଛା ୨୫ଶହରୁ ଉର୍ଦ୍ଧ୍ୱ ସ୍କାଉଟ୍ସ ଗାଇଡ଼୍ସଙ୍କୁ ନେଇ ଆୟୋଜିତ ଏହି ଜାମ୍ବୋରୀରେ ଜିଲା ଜିଲା ମଧ୍ୟରେ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସେଥିମଧ୍ୟରୁ ଆଂଚଳିକ ଯାତ୍ରା, ପ୍ରଦର୍ଶନୀ, ଖାଦ୍ୟ ମେଳା, ଶାରୀରିକ ଦକ୍ଷତା ପ୍ରଦର୍ଶନ, ଜିଲା ତୋରଣ ଭଳି ପାଂଚୋଟି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲା ପ୍ରଥମ ସ୍ଥାନ ଅଧିକାର କରି ଲଗାତାର ତୃତୀୟ ଥର ପାଇଁ ଚମ୍ପିୟାନ ଟ୍ରଫି ଜିତି ଜିଲା ପାଇଁ ଗୌରବ ଆଣି ଦେଇଛି । କେନ୍ଦ୍ରାପଡ଼ାର ସ୍କାଉଟ ଗାଇଡ଼ମାନେ ନୃତ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ, ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ ହାତେଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି ।

ରାଜ୍ୟ ମୁଖ୍ୟ କମିଶନର ଡକ୍ଟର କାଳୀ ପ୍ରସାଦ ମିଶ୍ର ତଥା ରାଜ୍ୟ ସଂଗଠନ କମିଶନର (ଗାଇଡ଼) ଅନାମିକା ଦାସ ଜିଲାର କୁନି କୁନି ସ୍କାଉଟ୍ସ ଓ ଗାଇଡ୍ସ ମାନଙ୍କ ପ୍ରତିଭାକୁ ଉଛ୍ୱସିତ ପ୍ରଶଂସା କରିଛନ୍ତି । ପିଲାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାରେ ସ୍କାଉଟ ମାଷ୍ଟର ଚନ୍ଦନ ଚର୍ଚ୍ଚିତ ମହାପାତ୍ର, ପ୍ରତାପ ହରିଚନ୍ଦନ, ଗାଇଡ଼ କ୍ୟାପଟେନ ନମିତା ନାୟକ, ଗାୟତ୍ରୀ ମିଶ୍ର ଏବଂ ଅମ୍ବିକା ମହାନ୍ତି ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । କେନ୍ଦ୍ରାପଡ଼ା ଜିଲା ଟିମ୍ ର ଏହି ସଫଳତା ପାଇଁ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ଜିଲା ଶାରୀରିକ ଶିକ୍ଷା ଅଧିକାରୀ ସ୍ମିତାପ୍ରତିଭା ସାହୁ, ସ୍କାଉଟ କମିଶନର ପୀତବାସ ପଣ୍ଡାଙ୍କ ସମେତ ସଂଗଠନ କମିଶନର ଦେବରାଜ ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *