ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ

ଯାଜପୁର,୨୯/୧୨/୨୦୨୫ (ଓଡ଼ିଶା ସମାଚାର)-ବଡ଼ଚଣା ବ୍ଲକ ଅନ୍ତର୍ଗତ ଉଦୟଗିରି ବୌଦ୍ଧ ବିହାର ଠାରେ ଆସନ୍ତା ଜାନୁଆରୀ ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ମହୋତ୍ସବ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର, ଉଦୟଗିରି ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ ଯୋଗ ଦେଇଥିଲେ।

ଏହି ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀରେ ବିଭିନ୍ନ ଦେଶରୁ ୨୦୦୦ ରୁ ଉର୍ଦ୍ଧ୍ବ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେବେ। ସେମାନଙ୍କ ରହଣି, ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧା ନିମନ୍ତେ ବନ୍ଦୋବସ୍ତ କରିବା ପାଇଁ ବଡ଼ଚଣା ବିଧାୟକ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ୨୪ ଘଣ୍ଟିଆ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସିଡିଏମଓଙ୍କ ସହ ଆଲୋଚନା କରିବା ସହ ସମ୍ମିଳନୀ ସ୍ଥଳ ଓ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଜନସମାଗମ ଓ ଛକ ସ୍ଥାନ ମାନଙ୍କରେ  ବ୍ୟାପକ ଭାବେ ସିସିଟିଭି କ୍ୟାମେରା ସ୍ଥାପନ କରିବା ପାଇଁ ସଂସ୍କୃତି ବିଭାଗ ରୁ ଆସିଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ଜିଲ୍ଲାପାଳ ଶ୍ରୀ କର ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ସବୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରି ଅବଗତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ବିଭାଗର ପ୍ରସ୍ତୁତିକୁ ନେଇ ଜାନୁଆରୀ ପ୍ରଥମ ସପ୍ତାହରେ ମକଡ୍ରିଲ ଅନୁଷ୍ଠିତ ହେବ। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ରାସ୍ତା ଓ କୋଠାବାଡ଼ି ଅଧିକ୍ଷଣ ଯନ୍ତ୍ରୀ,ଚାରିବାଟିଆ, ବଡ଼ଚଣା, ବରୀ ଓ ଧର୍ମଶାଳାର ବିଡ଼ିଓ ଏବଂ ତହସିଲଦାର, ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିକାରୀ, ବାଲିଚନ୍ଦ୍ରପୁର ଥାନା ଆଇଆଇସି, ଗୋପାଳପୁର ପଞ୍ଚାୟତର ସରପଞ୍ଚ, ସ୍ଥାନୀୟ ବୌଦ୍ଧ ମହୋତ୍ସବ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *