ସମ୍ବଲପୁରରେ “୫ମ ଜାତୀୟ ସମ୍ବଲପୁରୀ ସମ୍ମେଲନ୍”ରେ କେନ୍ଦ୍ରମନ୍ତ୍ରୀ

ଲୋକସଂସ୍କୃତି କେବେ ବିଲୁପ୍ତ ହୁଏ ନାହିଁ, ସମୟ କ୍ରମେ ନୂଆ ରୂପରେ ଉଜ୍ଜୀବିତ ହୁଏ – ଧର୍ମେନ୍ଦ୍ର ପ୍ରଧାନ

  • ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର, ସ୍ୱଭାବ କବି ଗଙ୍ଗାଧର ମେହେର, ହଳଧର ନାଗ ଓ କୃତାର୍ଥ ଆଚାର୍ଯ୍ୟଙ୍କ କଥା ମନେପକାଇଲେ
  • ରାଷ୍ଟ୍ରୀୟ ସ୍ତରରେ ସମ୍ବଲପୁରୀ ଭାଷା ଓ କଳାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଏହି ‘ଜାତୀୟ ସମ୍ମିଳନୀ’ ସ୍ୱାଗତଯୋଗ୍ୟ ପଦକ୍ଷେପ
  • ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଆମର ପ୍ରକୃତ ପରିଚୟ
  • ଭାଷା କେବେ ବିଭେଦ ସୃଷ୍ଟି କରେ ନାହିଁ, ବରଂ ଏହା ସଂସ୍କୃତିକୁ ଯୋଡ଼ିଥାଏ

ସମ୍ବଲପୁର, ୨୩/୧୨/୨୦୨୫ (ଓଡ଼ିଶା ସମାଚାର)-  ଆମର ପ୍ରାଚୀନ କଳା ଓ ସଂସ୍କୃତି ପ୍ରମାଣ କରେ ଯେ ଆମର ଲୋକସଂସ୍କୃତି କେବେ ବି ବିଲୁପ୍ତ ହୁଏ ନାହିଁ, ବରଂ ଏହା ସମୟାନୁକ୍ରମେ ନୂତନ ରୂପରେ ଉଜ୍ଜୀବିତ ହୋଇ ରହେ ବୋଲି ମଙ୍ଗଳବାର ସମ୍ବଲପୁରରେ ‘ପଶ୍ଚିମାଞ୍ଚଳ ଏକତା ମଞ୍ଚ’ ପକ୍ଷରୁ ଆୟୋଜିତ “୫ମ ଜାତୀୟ ସମ୍ବଲପୁରୀ ସମ୍ମେଲନ୍”ର ଉଦଯାପନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବା ଅନୁଯାୟୀ, ଭାରତକୁ ଏକ ‘ବିକଶିତ ଭାରତ’ରେ ପରିଣତ କରିବାକୁ ହେଲେ ଆମକୁ ପରାଧୀନତାର ପ୍ରତୀକ ‘ମାକାଉଲେ ମାନସିକତା’ରୁ ବାହାରିବାକୁ ପଡ଼ିବ। ଟି.ବି. ମାକାଉଲେ ଭାରତର ସନାତନ ସଂସ୍କୃତିକୁ ପଥଚ୍ୟୁତ କରିବା ପାଇଁ ଆମର ଭାଷା, ସାହିତ୍ୟ ଓ ଶିକ୍ଷା ପଦ୍ଧତିକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ବର୍ତ୍ତମାନ ଦେଶରେ ମୂଳଭୂତ ପରିବର୍ତ୍ତନ ଆସିଛି ।

ନୂତନ ଜାତୀୟ ଶିକ୍ଷା ନୀତି  ଅନୁଯାୟୀ, ଭାରତର ସବୁ ମାତୃଭାଷା ହେଉଛି ରାଷ୍ଟ୍ରୀୟ ଭାଷା । ଏହି ପରିପ୍ରେକ୍ଷୀରେ ସମ୍ବଲପୁରୀ ଭାଷା ମଧ୍ୟ ଏକ ଗୌରବମୟ ରାଷ୍ଟ୍ରୀୟ ଭାଷା । ଭାଷା କେବେ ବିଭେଦ ସୃଷ୍ଟି କରେ ନାହିଁ, ବରଂ ଏହା ସଂସ୍କୃତିକୁ ଯୋଡ଼ିଥାଏ । ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଆମର ପ୍ରକୃତ ପରିଚୟ। ଏହି ସଂସ୍କୃତିକୁ ସୁରକ୍ଷିତ ରଖିବା ଏବଂ ମାକାଉଲେ ଶିକ୍ଷା ନୀତିର ପ୍ରଭାବରୁ ମୁକ୍ତ ହୋଇ ନିଜ ମାତୃଭାଷାକୁ ଆପଣେଇବା ହିଁ ଆମର ପ୍ରକୃତ ଦାୟିତ୍ୱ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆମର ମାଟି ଓ ଭାଷାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ଅନେକ ମହାପୁରୁଷଙ୍କ ସାଧନା ରହିଛି । ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଭାଷା ପ୍ରତି ଅବଦାନ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାଳଜୟୀ କାବ୍ୟ ଆମ ସାହିତ୍ୟର ଅମୂଲ୍ୟ ସମ୍ପଦ । ଏହି ଧାରାକୁ ପଦ୍ମଶ୍ରୀ ହଳଧର ନାଗ ନିଜ ଲେଖନୀ ମାଧ୍ୟମରେ ଏକ ନୂତନ ଉଚ୍ଚତାକୁ ନେଇଯାଇଛନ୍ତି । ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଆମର ବୁଣାକାର ଶିଳ୍ପକୁ ସମୃଦ୍ଧ କରି ସମ୍ବଲପୁରୀ ବସ୍ତ୍ରକୁ ବିଶ୍ୱବିଖ୍ୟାତ କରିଛନ୍ତି । ଏହି ମହାପୁରୁଷମାନଙ୍କ ଯୋଗୁଁ ଆମର କଳା ଓ ସଂସ୍କୃତି ଆଜି ସମଗ୍ର ବିଶ୍ୱରେ ଗୌରବାନ୍ୱିତ । ଆଜି ଯେଉଁ ଏକତା ଓ ସଂହତିର ଚିତ୍ର ଏହି ମଞ୍ଚରେ ଦେଖିବାକୁ ମିଳୁଛି, ତାହା ‘ପଶ୍ଚିମାଞ୍ଚଳ ଏକତା ମଞ୍ଚ’ର ଅକ୍ଲାନ୍ତ ପରିଶ୍ରମର ଫଳ । ରାଷ୍ଟ୍ରୀୟ ସ୍ତରରେ ସମ୍ବଲପୁରୀ ଭାଷା ଓ କଳାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଏହି ‘ଜାତୀୟ ସମ୍ମିଳନୀ’ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ହୀରାକୁଦ ବନ୍ଧ ନିର୍ମାଣ ହେବା ପୂର୍ବର ସମ୍ବଲପୁରର ଇତିହାସ ଅତ୍ୟନ୍ତ ପ୍ରାଚୀନ । ଭୀମମଣ୍ଡଳୀ ଓ ସମ୍ବଲପୁରୀ ମନ୍ଦିରମାନଙ୍କର ସ୍ଥାପତ୍ୟ ଆମର ଗୌରବମୟ ଅତୀତର ସାକ୍ଷୀ । ଏଠାରେ ପ୍ରାୟ ଦଶ ହଜାର ବର୍ଷ ପୂର୍ବର ‘ରକ୍ ଆର୍ଟ’ ବା ଶୈଳ ଚିତ୍ର ରହିଛି, ଯାହା ଉପରେ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ଗବେଷଣା କରୁଛି । ଏହି ସବୁ ବିଷୟକୁ ଆଗେଇ ନେବା ଦିଗରେ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *