କେନ୍ଦ୍ରାପଡ଼ା,୨୩/୧୨/୨୦୨୫(ଓଡ଼ିଶା ସମାଚାର)- ଦିନ ଦିପହରେ ନିଛାଟିଆ ରାସ୍ତାର ସୁଯୋଗ ନେଇ ମହିଳା ପଂଚାୟତ ନିର୍ବାହୀ ଅଧିକାରୀଙ୍କ ହାତରୁ ସୁନା ମୁଦି ଓ ୨ଟି ଦାମୀ ମୋବାଇଲ ସମେତ ଅନେକ ଜରୁରୀ କାଗଜ ପତ୍ର ଥିବା ବ୍ୟାଗ ଟିକୁ ଝାମ୍ପି ନେଲେ ୨ ଦୁର୍ବୃତ । କେନ୍ଦ୍ରାପଡ଼ା ବ୍ଲକ ଅଧିନ ପଳସିଂହା ଗ୍ରାମ ପଂଚାୟତରେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଐଶର୍ଯ୍ୟ ନାଥଶର୍ମା ଆଜି ଅପରାହ୍ନରେ ଖାଇବା ପାଇଁ ବଜାରକୁ ଆସୁଥିବା ବେଳେ ଇନ୍ଦୁପୁର ଆଡୁ ଦୁଇ ଯୁବକ ଏକ କଳା ପଲସର ରେ ଆସି ଐଶର୍ଯ୍ୟ ନାଥ ଶର୍ମାଙ୍କୁ ଅଟକାଇବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ ।
ଏଥିସହ ସୁନା ମୁଦି ସମେତ ଦୁଇଟି ମୋବାଇଲ ଫୋନ ଏବଂ ଅଫିସ ଚାବି, କିଛି ଜରୁରୀ କାଗଜ ପତ୍ର ଥିବା ଭ୍ୟାନିଟିକୁ ମଧ୍ୟ ସେମାନେ ନେଇଯାଇଥିଲେ । ମହିଳା ଅଧିକାରୀ ଜଣକ ଏକୁଟିଆ ଥିବାରୁ ଜୀବନ ସୁରକ୍ଷା ନିମନ୍ତେ ଦୁର୍ବୃତ ମାନଙ୍କୁ ସମସ୍ତ ଜିନିଷ ଦେଇଦେଇଥିଲେ । ଘଟଣା ଘଟିଥିବା ସ୍ଥାନରୁ ନିକିରେଇ ଥାନା ମାତ୍ର ଦୁଇ କିଲୋମିଟର ଦୂରତା ହୋଇଥିଲେ ମଧ୍ୟ ଦୁର୍ବୃତ ମାନେ ଖୁଲମ ଖୁଲା ମହିଳା ଅଧିକାରୀଙ୍କ ଠାରୁ ଲୁଟ କରି ଫେରାର ହୋଇଯାଇଛନ୍ତି । ନା ସେମାନଙ୍କର ପୋଲିସ କୁ ଅଛି ଡର ନା ଲୋକଙ୍କୁ କାହାରିକୁ ଖାତିର ନକରି ଦିନ ଦିପହରେ ମୁଣ୍ଡରେ ବନ୍ଧୁକ ଲଗାଇ ଝାମ୍ପି ନେଉଛନ୍ତି ସୁନା ଆଉ ଟଙ୍କା ।
ସେହି ସମୟରେ ଉକ୍ତ ରାସ୍ତା ଦେଇ କିଛି ଯୁବକ ଆସୁଥିବାର ଦେଖି ଦୁର୍ବୃତ ମାନେ ମହିଳାଙ୍କୁ ବିଲକୁ ଠେଲି ଦେଇ ଗାଡି ନେଇ ଫେରାର ହୋଇଯାଇଥିଲେ । ରାସ୍ତାରେ ଆସୁଥିବା ସେହି ଯୁବକମାନେ ମହିଳା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ମହିଳା ଜଣଙ୍କ ନିକିରାଇ ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି । ନିକିରାଇ ଥାନା ପକ୍ଷରୁ ଘଟଣାର ତଦନ୍ତ ଚାଲିଛି ବୋଲି ଥାନାଧିକାରିଣୀ କହିଛନ୍ତି ।
