ଅତ୍ୟାଚାର ମାମଲାର ଶୀଘ୍ର ନିଷ୍ଫତି ଉପରେ ଗୁରୁତ୍ୱ
ସୁମଙ୍ଗଳ ଯୋଜନାର ବ୍ୟାପକ ସଚେତନତା ଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟାନ୍ୱୟନ ସମୀକ୍ଷା
କେନ୍ଦ୍ରାପଡ଼ା, ୧୨/୦୫/୨୦୨୬ (ଓଡ଼ିଶା ସମାଚାର)- ଜିଲା ଭିଜିଲାନ୍ସ ଓ ନିରୀକ୍ଷଣ କମିଟି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲୀକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏସସି ଓ ଏସଟି ଅତ୍ୟାଚାର ମାମଲା, ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ, ଅନ୍ତର୍ଜାତୀୟ ବିବାହ ପ୍ରୋତ୍ସାହନ ଯୋଜନା “ସୁମଙ୍ଗଳ” ଏବଂ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା । ବୈଠକରେ ଅତ୍ୟାଚାର ମାମଲାର ପୀଡ଼ିତମାନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ସହ ବିଚାରାଧୀନ ମାମଲାଗୁଡିକର ଶୀଘ୍ର ନିଷ୍ପତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ପୀଡ଼ିତ ପରିବାରମାନଙ୍କୁ ସମସ୍ତ ସରକାରୀ ସହାୟତା ସମୟୋପଯୋଗୀ ଭାବେ ପହଂଚାଇବା ପାଇଁ ସମ୍ପୃକ୍ତ ବିଭାଗ ଗୁଡିକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା । ସେହିପରି “ସୁମଙ୍ଗଳ” ଯୋଜନା ସମ୍ପର୍କରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ପହଂଚାଇବା ଏବଂ ପ୍ରଚାର ପ୍ରସାରକୁ ବ୍ୟାପକ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ସାମାଜିକ ସମାନତା ବୃଦ୍ଧିରେ ଏହି ଯୋଜନାର ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଜଙ୍ଗଲ ଅଧିକାର ଆଇନ ଅଧିନରେ ଯୋଗ୍ୟ ପରିବାରମାନଙ୍କୁ ଅଧିକାର ପତ୍ର ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆବେଦନ ଗୁଡିକର ଶୀଘ୍ର ନିଷ୍ପତି ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଡିଏସପି ପ୍ରଦୀପ କୁମାର ପ୍ରଧାନ, ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ଭୀମ ଆର୍ମି ସଭାପତି ନଗେନ୍ଦ୍ର ଜେନା, ସଦସ୍ୟ ପୁରୁଷୋତମ ମଲ୍ଲିକ, ସଦସ୍ୟା ଜୟନ୍ତୀ ସରେନ, ନେଚର କ୍ଳବ ସମ୍ପାଦକ ଅଲ୍ୟଳ କୁମାର ବଳଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ବୈଠକରେ ଭୀମ ଆର୍ମି ସଭାପତି ନଗେନ୍ଦ୍ର ଜେନା ଏସସି ଓ ଏସଟି ସମ୍ପର୍କିତ ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇଥିବାବେଳେ ସେଗୁଡିକର ସମାଧାନ ପାଇଁ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।
