ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ୭୨ ତମ ସ୍ମୃତି ଉତ୍ସବ

ମାହାଙ୍ଗା,୨୩/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ବିଖ୍ୟାତ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମାଙ୍କ ଜୀବନ ଥିଲା ଅତ୍ୟନ୍ତ ଦୁଃଖ ଓ ଦୁର୍ଦ୍ଦଶା ପୂର୍ଣ୍ଣ । ଅଭାବ ଅନାଟନ ଭିତରେ ଜୀବନ ବଂଚୁଥିବା ସତ୍ୱେ ତା’ଙ୍କ ଭିତରେ ଥିବା ପ୍ରତିଭା ଅଧିକରୁ ଅଧିକ ଝଟକୁ ଥିଲା । ପ୍ରକୃତିର ଅପରୂପା ଶୋଭା ଠାରୁ ସାଧାରଣ ଜନ ଜୀବନର ଅଭିବ୍ୟକ୍ତି କୁ ଚମତ୍କାର ଭାବେ ଚିତ୍ରିତ କରିବାରେ ଶିଳ୍ପୀ ବିମ୍ବାଧର ବର୍ମା ଅତ୍ୟନ୍ତ ସିଦ୍ଧାହସ୍ତ ଥିଲେବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ ।

ସାରସ୍ୱତ ସେବାମଞ୍ଚ ମାହାଙ୍ଗା ପକ୍ଷରୁ କୁସୁପୁର ଠାରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ୭୨ ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ଉତ୍ସବ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ତଥା ଆମ ମାହାଙ୍ଗାର ଅଧ୍ୟକ୍ଷ ଇଞ୍ଜିନିଅର ଅମରେନ୍ଦ୍ର ମହାନ୍ତି ଯୋଗଦେଇ ମାହାଙ୍ଗାର ବରପୁତ୍ର ମାନଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିବା ସହିତ,ଓଡ଼ିଆ ଅସ୍ମିତା ପ୍ରତି ସେମାନଙ୍କ ଅମୁଲ୍ୟ ଓ ଅତୁଳନୀୟ ଅବଦାନକୁ ଉଜ୍ଜୀବିତ ରଖିବାକୁ ରାଜଧାନୀରେ “ମାହାଙ୍ଗା ଭବନ” ନିର୍ମାଣର ପରିକଳ୍ପନା କରାଯାଇଥିବା ସୂଚନା ଦେଇଥିଲେ । ଏହି ମହତ ପ୍ରୟାସକୁ ସାକାର କରିବାପାଇଁ ଶ୍ରୀ ମହାନ୍ତି ଶିଳ୍ପୀଙ୍କ ଜନ୍ମ ମାଟିରୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କବି ଭକ୍ତ ଚରଣ ସାହୁ ଶିଳ୍ପୀ ଗୁରୁ ବିମ୍ବାଧରଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ ବୋଲି କହିଥିଲେ ।

ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି କହିଲେ,ନନା ପ୍ରତିବନ୍ଧକ ଓ ପ୍ରତିରୋଧ ସତ୍ୱେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା ବିଶ୍ୱର ଜଣେ ଆଗ ଧାଡ଼ିର ଚିତ୍ର ଶିଳ୍ପୀ ଭାବେ ସୁଖ୍ୟାତି ଅର୍ଜ୍ଜନ କରିପାରିଛନ୍ତି ।

ଏହି ସ୍ମୃତି ଉତ୍ସବରେ କୁସୁପୁର ନନ୍ଦ କିଶୋର ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କର, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ସାମ୍ବାଦିକ ବିଜୟ ଜେନା, ସମାଜସେବୀ ରୁଦ୍ର ନାରାୟଣ ସିଂ, ଯୁବ ସଂଗଠକ ଶୁଭେନ୍ଦୁ ସାମଲ, ସମସେର ଅଲ୍ଲୀ, କାର୍ତ୍ତିକ ବିହାରୀ, କ୍ଷୀରୋଦ ଦାଶ, ପ୍ରମୁଖ ବହୁ କଳା ଓ ସଂସ୍କୃତିପ୍ରେମୀ ବ୍ୟକ୍ତିମାନେ ଉପସ୍ଥିତ ରହି ଶିଳ୍ପୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *