ଯାଜପୁର, ୧୭/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଭାରତ ସରକାରଙ୍କ ଏ.ଡି.ଆଇ.ପି ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ସମାରୋହ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟିକା, ଯାଜପୁର ଶ୍ରୀମତୀ ସୁଜାତା ସାହୁ କହିଲେ ଭିନ୍ନକ୍ଷମମାନଙ୍କୁ ପ୍ରଦାନ କରାଯାଉଥିବା ସହାୟକ ଉପକରଣ ବଣ୍ଟନ ଶିବିରରେ ମୁଁ ଅତ୍ୟନ୍ତ ଖୁସି ଅଛି। ସରକାରଙ୍କ ଦ୍ଵାରା ବିଭିନ୍ନ ଉପକରଣ ବଣ୍ଟନ ଏବଂ ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ଏହା ଏକ ମହତ କାର୍ଯ୍ୟ ଅଟେ। ଶତକଡା ୮୦ ପ୍ରତିଶତ ଓ ତଦୁର୍ଦ୍ଧ ଲୋକଙ୍କୁ ମାସିକ ୩,୫୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ଦେବା ସରକାରଙ୍କର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଅନ୍ୟମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ସରକାରଙ୍କ ପାଖରେ ମୁଁ ନିବେଦନ କରୁଅଛି।
ଏହା ସହ ଯେଉଁ ଅନ୍ୟାନ୍ୟ ସରକାରୀ ଯୋଜନା ଅଛି ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଅଛି ।
ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଅଧ୍ୟକ୍ଷତା କରି କହିଲେ ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ସହାୟକ ଉପକରଣକୁ ସୁବିନିଯୋଗ କରିବା ଏବଂ ସେଗୁଡ଼ିକର ସଠିକ୍ ସୁରକ୍ଷିତ ରଖିବା ଏବଂ ନିଜର ଅକ୍ଷମତାକୁ ସକ୍ଷମତାରେ ରୂପାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ। ମାନ୍ୟବର ସାଂସଦ, ଯାଜପୁରଙ୍କ ପ୍ରତିନିଧି ଶ୍ରୀ ବସୁବନ୍ଧୁ ଦାସ ଯୋଗଦାନ କରି ଦିବ୍ୟାଙ୍ଗମାନଙ୍କୁ ଉଦ୍ଦିଷ୍ଟ ଥିବା ସମସ୍ତ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ ଏବଂ ସମସ୍ତ ଦିବ୍ୟାଙ୍ଗ ମାନେ ଯେପରି ସଠିକ୍ ଭାବରେ ଉପକୃତ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ।
ଆଜିର ସମାରୋହରେ ୬୪ ଟି ବ୍ୟାଟେରୀ ଚାଳିତ ଟ୍ରାଇ ସାଇକଲ, ୫୨ ଟି ହାତ ଚାଳିତ ଟ୍ରାଇ ସାଇକଲ, ୨୩୨ ଟି ହୁଇଲ ଚେୟାର, ୨୬୨ ଟି ଶ୍ରବଣ ଯନ୍ତ୍ର, ୩୨ ଟି ସ୍ମାର୍ଟ ଫୋନ, ୫୦ ଟି ସ୍ମାର୍ଟ କେନ୍ ଏବଂ ଏଥି ସହ ଅନ୍ୟାନ୍ୟ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା।
ଏହି ଶିବିର ଭାରତ ସରକାରଙ୍କ ମିନି ରତ୍ନ କମ୍ପାନୀ ଆଲିମକୋ ଦ୍ଵାରା ସମ୍ପୂର୍ଣ୍ଣ ଆୟୋଜନ କରାଯାଇଥିଲା। ଏଥିରେ ଆଲିମକୋ କମ୍ପାନୀର ମୁଖ୍ୟ ଶ୍ରୀଯୁକ୍ତ ଏ.ଭି. ଅଶୋକ କୁମାର ଏବଂ ଅନ୍ୟାନ୍ୟ ସହକର୍ମୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ।
ଏହି ସମାରୋହରେ ଡେପୁଟି କଲେକ୍ଟର, ଯାଜପୁର, ଶ୍ରୀ ବସୁଦେବ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଯାଜପୁର ଶ୍ରୀ ରବୀନ୍ଦ୍ର କୁମାର ବେହେରା,, ସଭାପତି, କମଳାକାନ୍ତ ଫାଉଣ୍ଡେସନ ଟ୍ରଷ୍ଟ, ଯାଜପୁର, ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର, ଦିବ୍ୟାଙ୍ଗ ଭାଇ ଭଉଣୀ ଓ ଅଭିଭାବକଗଣ ଉପସ୍ଥିତ ଥିଲେ ।