ଅଚ୍ୟୁତ ସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ

ଭୁବନେଶ୍ୱର, ୦୯/୬/୨୦୨୪ (ଓଡ଼ିଶା ସମାଚାର)-  ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା କନ୍ଧମାଳର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ରାଜନୀତିରୁ ଅବସର ନେଇ ସେ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ବି ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବଭଳି ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଏହାସହ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ସେ । ଶନିବାର ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ ସେ  ଦଳର ମୁଖିଆଙ୍କୁ କୃତଜ୍ଞତା ଜଣାଇଥିଲେ ।

୨୦୧୮ରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିବା ସହ ବିଜେଡିରେ ସାମିଲ ହୋଇଥିଲେ। ଏବଂ ସେହି ବର୍ଷ ତାଙ୍କୁ ରାଜ୍ୟସଭା ପଠାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପରେ ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ସପ୍ତଦଶ ଲୋକସଭାରେ ପାଦ ଥାପିଥିଲେ। ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପିର ଖାରବେଳ ସ୍ୱାଇଁଙ୍କୁ ପାଖାପାଖି ଏକ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୪ ଲୋକସଭା ନିର୍ବାଚନରେ କନ୍ଧମାଳ ଆସନରୁ ପରାଜୟ ପରେ ଆଜି ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇ ଘୋଷଣା କରିଛନ୍ତି । ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ କନ୍ଧମାଳବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *