ଆରମ୍ଭ ହେଲା ଡ୍ରୋନ ସେବାରେ ସ୍ବାସ୍ଥ୍ୟ ସେବା 

ଖୋର୍ଦ୍ଧା, ୨୩/୦୧/୨୦୨୪ ( ଓଡ଼ିଶା ସମାଚାର/ ହିମାଂଶୁ ଭୁଷଣ ଚମ୍ପତିରାୟ)- ଭୁବନେଶ୍ୱର ରୁ ଟାଙ୍ଗୀ କୁ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେଲା ଡ୍ରୋନ ସ୍ୱାସ୍ଥ୍ୟ ସେବା  । ପ୍ରଥମ ଥର ପାଇଁ ଭୁବନେଶ୍ୱର ଏମ୍ସ ରୁ ପରୀକ୍ଷା ମୂଳକ ଭାବେ ଡ୍ରୋନ ସେବା ଆରମ୍ଭ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚିଲା ଡ୍ରୋନ। ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ,ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଏମ୍ସ ପକ୍ଷରୁ ଓଡିଶା ରେ ଏହି ସେବା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ୭୦ କିଲୋମିଟର ପାଇଁ ୩୫ ମିନଟ ସମୟ ଲାଗୁଛି।

୧୨ ଟାରେ ବାହାରି ୧୨ ଟା ୩୫ ରେ ପହଁଚିଲା ଡ୍ରୋନ।ଏହି ଡ୍ରୋନ ୫ କେଜି ଓଜନ ପରିବହନ କରିବାର କ୍ଷମତା ରଖିଥିବା ଜଣା ପଡିଛି। ଅତି ଜରୁରୀ ପରିସ୍ଥିତି ରେ ଏହାକୁ ରୋଗୀଙ୍କୁ ନର୍ମାଲ ଟେମ୍ପରଚରରେ ଅତି ଜରୁରୀ ଔଷଧ ସହ ରକ୍ତ ଯୋଗାଣ କରିପାରିବ।ଏହି ଡ୍ରୋନ ପୁନର୍ବାର ଏମ୍ସ ଭୁବନେଶ୍ୱର କୁ ସଫଳତାର ସହ ଆକାଶ ପଥରେ ଫେରି ଯାଇଛି। ଆକାଶ ପଥରେ ପକ୍ଷୀ ମାନଙ୍କ ଠାରୁ ଢେର ଉଚ୍ଚ ରେ ୪୦୦ ଫୁଟ ଉଚ୍ଚତା ରେ ଏହି ଡ୍ରୋନ ଉଡାଣ କରିବା ର କ୍ଷମତା ରହିଛି ବୋଲି ଡ୍ରୋନ ଟେକନସିଆନ ସୂଚନା ଦେଇଛନ୍ତି । ଆଜି ଏହି ସେବା ପ୍ରଥମ ଉଡାଣ ରେ ସଫଳ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି।ତେଣୁ ଏହି ସେବା ଆଗକୁ ପ୍ରତିଦିନ ଜାରୀ ରହିବା ପାଇଁ ଏମ୍ସ ବ୍ୟବସ୍ଥା କରୁଥିବା ଜଣା ପଡିଛି। ଫଳରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନେ ବେଶ ଉପକୃତ ହୋଇ ପାରିବେ।

Leave a Reply

Your email address will not be published. Required fields are marked *