ମାଇକ୍ରୋ ବାୟୋଲୋଜିକାଲ୍ ଲାବୋରେଟୋରୀର ଭିତିପ୍ରସ୍ତର ସ୍ଥାପିତ
କଟକ, ୧୨/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଏବଂ ରସାୟନ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ସ୍ନାତକୋତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ସାତତଳ ବିଶିଷ୍ଟ ବହୁବିଧ ଉପଯୋଗୀ ଚିକିତ୍ସାଳୟ ଓ ଛାତ୍ରାବାସର ଶୁଭ ଉଦ୍ଘାଟନ ସହ ମାଇକ୍ରୋ ବାୟୋଲୋଜିକାଲ ଲାବୋରେଟୋରୀର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ୧୫୨.୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭ ମହଲା ବିଶିଷ୍ଟ ଏହି ମଲ୍ଟିୟୁଟିଲିଟି ହସ୍ପିଟାଲ କମ୍ପ୍ଲେକ୍ସ ଶିଶୁ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।
ଏହି କ୍ୟାମ୍ପସ୍ ରେ ଶିଶୁମାନଙ୍କ ପାଇଁ ରହିଛି ୮୪୬ଟି ଶଯ୍ୟା , ସେଥିମଧ୍ୟରୁ ୧୪୦ଟି ଆଇସିୟୁ ଶଯ୍ୟା, ୨୨୭ଟି ନବଜାତ କେୟାର୍ ବେଡ୍, ଏସ ଏନ ସି ୟୁ ପାଇଁ ୪୮ ଟି ଶଯ୍ୟା, ପେଡିଆଟ୍ରିକ ମେଡ଼ିସିନ ପାଇଁ ୨୫୯ଟି ଶଯ୍ୟା, ପେଡିଆଟ୍ରିକ୍ ନେଫ୍ରୋଲୋଜି ପାଇଁ ୩୦ଟି ଶଯ୍ୟା, ସଂକ୍ରାମକ ରୋଗ ପାଇଁ ୨୬ଟି ଶଯ୍ୟା, ପେଡିଆଟ୍ରିକ୍ ସର୍ଜରି ପାଇଁ ୬୦ ଟି ଶଯ୍ୟା, ଏନଆରସି ପାଇଁ ୧୦ଟି ଶଯ୍ୟା ଏବଂ କାଜୁଆଲିଟି ପାଇଁ ୪୬ଟି ଉତ୍ସର୍ଗୀକୃତ ଶଯ୍ୟା ଉପଲବ୍ଧ ରହିଛି ।
ଏଥିସହ ମାଗଣା ଔଷଧ ବଂଟନ ପାଇଁ ୪ଟି ଔଷଧ ବିତରଣ କେନ୍ଦ୍ର ଓ ୧୮୦ ଜଣ ଆବାସିକ ଡାକ୍ତରଙ୍କ ପାଇଁ ଏକ ହଷ୍ଟେଲ ରହିଛି । ଯାହା ୨୪ ଘଂଟା ଚିକିତ୍ସା ସେବା ଯୋଗାଇଦେବା ସୁନିଶ୍ଚିତ କରିବ । ଏଥିସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା ମାଇକ୍ରୋ ବାୟୋଲୋଜିକାଲ୍ ଲାବୋରେଟୋରୀର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ୪.୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଲାବୋରେଟୋରୀରେ ଏଫ୍ଏସ୍ଏସ୍ଏଆଇ ମାନକ ଅନୁଯାୟୀ ଖାଦ୍ୟ ଏବଂ ଜଳ ନମୁନାଗୁଡ଼ିକର ମାଇକ୍ରୋ ବାୟୋଲୋଜିକାଲ୍ ପରୀକ୍ଷା କରାଯିବ । ଏହା ଭୁବନେଶ୍ୱର ରାଜ୍ୟ ଖାଦ୍ୟ ପରୀକ୍ଷଣ ଲାବୋରେଟୋରୀରେ ପ୍ରତିଷ୍ଠା କରାଯିବ ।