ଭୁବନେଶ୍ୱର,୨୨/୧୨/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ଜୁଡିସିଆଲ୍ ଏକାଡେମୀ ରେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ.ଆଇ.ସି),ଓଡିଶା ର ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ (ଡିଆଇଓ) ଏବଂ ବରିଷ୍ଠ ଅଧିକାରୀ ମାନଙ୍କପାଇଁ “ନ୍ୟାୟପାଳିକା ରେ ଇ-ଗଭର୍ଣ୍ଣାନ୍ସ” ଉପରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଅଛି।
କର୍ମଶାଳାକୁ ଉଦଘାଟନ କରି ଓଡ଼ିଶା ଜୁଡିସିଆଲ୍ ଏକାଡେମୀ ର ନିର୍ଦ୍ଦେଶକ ଶ୍ରୀ ବିଦ୍ୟୁତ୍କୁମାର ମିଶ୍ର ଜିଲ୍ଲା ଜୁଡିସିଆଲ୍ ଇକୋ-ସିଷ୍ଟମ ର ବିଭିନ୍ନ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ସେବାରେ ଡିଆଇଓ ମାନଙ୍କ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡିଶା ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ନ୍ୟାୟାଳୟ ମାନଙ୍କରେ ଭିଡିଓ କନଫରେନ୍ସିଂ ସୁବିଧା ଉପଲବ୍ଧ କରିବା, ସମସ୍ତ କୋର୍ଟ ରେକର୍ଡକୁ ଡିଜିଟାଇଜେସନ କରିବା ଏବଂ ସମସ୍ତ ଜିଲ୍ଲା ନ୍ୟାୟାଳୟ ମାନଙ୍କର ୱେବସାଇଟ ପରିଚାଳିତ କରିବା ଆଦିରେ ଡିଆଇଓ ମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ବପୂର୍ଣ ବୋଲି ଶ୍ରୀ ମିଶ୍ର ସୂଚନାଦେଇଥିଲେ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟର କେନ୍ଦ୍ରୀୟ ପ୍ରକଳ୍ପ ସଂଯୋଜକ ଶ୍ରୀ ସୌମ୍ୟ ସୌରଭ ଇ-କୋର୍ଟସ ପ୍ରୋଜେକ୍ଟ ପାଇଁ ଏନ.ଆଇ.ସିର ମୂଲ୍ୟବାନ ଅବଦାନକୁ ପ୍ରଶଂସା କରି ଜାତୀୟ ନ୍ୟାୟିକ ଡାଟାଗ୍ରୀଡ୍ପୋର୍ଟାଲ୍ନ୍ୟାୟାଳୟ ଗୁଡିକରେ ମାମଲା ପରିଚାଳନା ଏବଂ ନ୍ୟାୟିକ କାର୍ୟ୍ୟଦକ୍ଷତା ର ବାସ୍ତବ-ସମୟ ତଦାରଖ ପାଇଁ ପ୍ରାଥମିକ ପ୍ଲାଟଫର୍ମ ଭାବରେ କାର୍ୟ୍ୟ କରେ ବୋଲି ସୂଚନା ଦେଇଥିଲେ।
ବରିଷ୍ଠ ନିର୍ଦ୍ଦେଶକ ଏବଂ ଅତିରିକ୍ତ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ସୁରେନ୍ଦ୍ରନାଥ ବେହେରା ପ୍ରାରମ୍ଭିକ ଭାଷଣ ଦେଇ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସମୟୋପଯୋଗୀ ଏବଂ ସୁଗମ କରିବା ପାଇଁ ଇ-କୋର୍ଟସ ପ୍ରୋଜେକ୍ଟର ପର୍ୟ୍ୟାୟ-୩ ଅନ୍ତର୍ଗତ ସଫଳତା ଉପରେ ଆଲୋକପାତ କରିଥିଲେ। ନିଜର ସ୍ୱାଗତ ଭାଷଣରେ, ଏନଆଇସି ର ଉପ-ମହାନିର୍ଦେଶକ ଏବଂ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡ: ଅଶୋକ କୁମାର ହୋତା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କୁ ଅନୁବାଦ, ପୂର୍ବାନୁମାନ, ପ୍ରଶାସନିକ ଦକ୍ଷତା ଉନ୍ନତ କରିବା, ସ୍ୱୟଂଚାଳିତ ଫାଇଲିଂ, ମାମଲା ସୂଚନା ପ୍ରଣାଳୀକୁ ବୃଦ୍ଧି କରିବା ଏବଂ ଚାଟ ବଟ୍ ମାଧ୍ୟମରେ ମାମଲା ପ୍ରତ୍ୟାବର୍ତ୍ତକ ଙ୍କ ସହ ଯୋଗାଯୋଗ କରିବା ଭଳି କ୍ଷେତ୍ରରେ ସମନ୍ୱିତ କରାଯାଉଛି ବୋଲି ସୂଚନା ଦେଇଥିଲେ।
ଡିଆଇଓ ମାନଙ୍କୁ କୋର୍ଟ ସୂଚନାପ୍ରଣାଳୀ, ଇ-ଫାଇଲିଂ, ଇ-ପେମେଣ୍ଟ, ଜାତୀୟ ସେବା ଏବଂ ଇଲେକ୍ଟ୍ରୋନିକ ପ୍ରକ୍ରିୟାଗୁଡ଼ିକର ଟ୍ରାକିଂ, ଇ-କୋର୍ଟସ୍ ମୋବାଇଲ୍ଆପ୍ ଏବଂ ଜଷ୍ଟ-ଆଇଏସ ମୋବାଇଲ୍ ଆପ୍ ଇତ୍ୟାଦି ପ୍ରମୁଖ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ ବିଷୟରେ ସଚେତନ କରାଯାଇଥିଲା। ଏନଆଇସି ର ନିର୍ଦ୍ଦେଶକ (ଆଇଟି) ଏବଂ ଇ-କୋର୍ଟସ ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ଇତିଶ୍ରୀ ନନ୍ଦ, ଏବଂ ଓଡ଼ିଶା ହାଇକୋର୍ଟ ର ସିଷ୍ଟମ୍ ଅଧିକାରୀ ଶ୍ରୀ ଅଶୋକ ମଲ୍ଲିକ ଏବଂ ଶ୍ରୀ ଶୁଭ ରଞ୍ଜନ ମନ୍ତ୍ରୀ ଙ୍କ ସହିତ କେନ୍ଦ୍ରୀୟ ପ୍ରକଳ୍ପ ସଂଯୋଜକ ବିଭିନ୍ନ ଅଧିବେଶନ ପରିଚାଳନା କରିଥିଲେ। ଏନଆଇସି ର ଯୁଗ୍ମ ନିର୍ଦ୍ଦେଶକ (ଆଇଟି) ଶ୍ରୀ କ୍ଷୀରୋଦ କୁମାର ସାହୁ କାର୍ୟ୍ୟକ୍ରମ ର ସଫଳ ସଂଯୋଜନା କରିଥିଲେ।
