କଟକ,୦୯/୦୮/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ସର୍ଭ ସ୍ମାଇଲ୍ ଫାଉଣ୍ଡେସନ୍, କଟକ ପକ୍ଷରୁ କଟକ ମହାନଦୀ ପଠାରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ସଦସ୍ୟମାନଙ୍କ ସହ ସ୍ଥାନୀୟ ବସ୍ତିବାସୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ।
କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ସଭାପତି ପ୍ରଜ୍ଞା ସାମନ୍ତରାୟ, ଉପସଭାପତି ସର୍ବଶ୍ରୀ ବେହେରା ଏବଂ ପ୍ରତିଷ୍ଠାତା ଏସ. ଏମ. ପପୁ ଉପସ୍ଥିତ ରହି ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ମତ ରଖିଥିଲେ। ଏଥିସହ ବିନୟ କୁମାର, ଦୀପୁ ବାବୁ, ଲକ୍ଷ୍ମୀପ୍ରିୟା ପାତ୍ର, ସାଇ ଭଉଣୀ ଏବଂ ସ୍ଥାନୀୟ ବସ୍ତିବାସୀମାନେ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଶେଷରେ ସମସ୍ତେ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ସହ ପରିବେଶ ସୁରକ୍ଷା ପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।
