କେନ୍ଦ୍ରାପଡ଼ା, ୧୧/୧୧/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗିତା ଏବଂ ଜିଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ- ୨୦୦୫ ଉପରେ ଏକ ଦିନିଆ ଜିଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହିଳା ସଶକ୍ତିକରଣ ଜିଲା ସଂଯୋଜକ ଲଲାଟେନ୍ଦୁ ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ରିସୋର୍ସପର୍ସନ ଭାବରେ ବରିଷ୍ଠ ଆଇନଜୀବୀ ତଥା ପ୍ରାକ୍ତନ ପବ୍ଲିକ ପ୍ରସିକୁ୍ୟଟର ଭୀମସେନ ଭୂୟାଁ ଯୋଗଦେଇ ଜଣେ ମହିଳା ନିର୍ଯ୍ୟାତନାର ଶିକାର ହେବା ପରେ କିଭଳି ଜିଲା ସମାଜମଙ୍ଗଳ ବିଭାଗର ମହିଳା ସୁରକ୍ଷା ଅଧିକାରୀ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ କି କି ପଦକ୍ଷେପ ନେବେ ଏବଂ ପିଡିତା ମାଗଣା ଆଇନ ସହାୟତା ପାଇପାରିବେ ଏବଂ ପିଡିତା ଚାହିଁଲେ କିଭଳି ସିଧାସଳଖ କୋର୍ଟରେ କେଶ କରିପାରିବେ ସେ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ ।
ଏଥିସହିତ ମହିଳାମାନଙ୍କ ପାଇଁ ଥିବା ଆଇନଗତ ଅଧିକାର, ମହିଳାଙ୍କୁ ସୁବିଧା ଯୋଗାଇ ଦେଉଥିବା ଅଧିକାର ଏବଂ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଥିବା ସମସ୍ତ ସରକାରୀ ଆଇନ, ଯୋଜନା ଓ ସଂସ୍ଥା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଶିକ୍ଷାର୍ଥୀ ମହିଳାମାନେ ମତବ୍ୟକ୍ତ କରିଥିଲେ ଯେ ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ଆଇନରେ ଥିବା ୯୦ଦିନ ମଧ୍ୟରେ କୋର୍ଟରେ ବିଚାର ଶେଷ ହୋଇପାରୁନାହିଁ ଏବଂ ଏଥିନିମନ୍ତେ ବର୍ଷ ବର୍ଷ ଧରି ସମୟ ଲାଗୁଥିବାରୁ ପିଡିତାମାନେ ଆବଶ୍ୟକ ସାମାଜିକ ସୁରକ୍ଷା ପାଇପାରୁନାହାନ୍ତି । ତେଣୁ ଜିଲାରେ ଏହି ମାମଲା ଗୁଡିକର ବିଚାର କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଜେଏମଏଫସିଙ୍କ କୋର୍ଟ ଖୋଲିବାକୁ ଦାବି କରିଥିଲେ । ଏଥିରେ ପ୍ରୋଗ୍ରାମ ଅଫିସର ଭାରତୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହିଳା ସୁରକ୍ଷା ଅଧିକାରୀ ସବିତାରାଣୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ସମସ୍ତ ସିଡିପିଓ, ସୁପରଭାଇଜର, ମହିଳା ଓ ଶିଶୁ ଡେସ୍କର ପୋଲିସ ଅଧିକାରୀ, ସ୍ୱାସ୍ଥ୍ୟ, ଶକ୍ତିସଦନ ଓ ୱାନଷ୍ଟପ୍ ସେଂଟରର ପ୍ରତିନିଧିମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।
