ଜଗତସିଂହପୁର,୨୮/୦୭/୨୦୨୫ (ଓଡ଼ିଶା ସମାଚାର)- ଭାରତର ଜାତୀୟ ମାନବାଧିକାର ଆୟୋଗ (NHRC)ଙ୍କ ଦ୍ଵାରା ୨୦୧୫ ମସିହାରେ ମାନବାଧିକାର ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆରମ୍ଭ କରାଯାଇଛି। ୨୦୨୫ ମସିହାରେ ଏହି ପ୍ରତିଯୋଗିତାର ୧୧ତମ ସଂସ୍କରଣ ପାଇଁ ଆୟୋଗ ପକ୍ଷରୁ ଯେକୌଣସି ବୟସ, ଗୋଷ୍ଠୀ ନିର୍ବିଶେଷରେ ଦେଶର ନାଗରିକଙ୍କଠାରୁ ଅନଲାଇନରେ ପ୍ରବେଶ ଆମନ୍ତ୍ରଣ କରିଛି। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ଯଥାକ୍ରମେ ୨ ଲକ୍ଷ, ୧ ଲକ୍ଷ ୫୦ ହଜାର ଏବଂ ୧ ଲକ୍ଷ ଟଙ୍କା ରଖା ଯାଇଛି।
ଜୁରୀଙ୍କ ଦ୍ୱାରା ସୁପାରିଶ କରାଗଲେ ଆୟୋଗ ତିନୋଟି ନଗଦ ପୁରସ୍କାର, ପ୍ରମାଣପତ୍ର ଏବଂ ଟ୍ରଫି ସହିତ ସର୍ବାଧିକ ୪ଟି ଚଳଚ୍ଚିତ୍ରକୁ ୫୦ ହଜାର ଟଙ୍କା ନଗଦ ପୁରସ୍କାର ସହିତ ‘ବିଶେଷ ଉଲ୍ଲେଖ ପ୍ରମାଣପତ୍ର’ ପ୍ରଦାନ କରିବାକୁ ମଧ୍ୟ ବିଚାର କରିପାରିବେ ।ମାନବାଧିକାର ସଂସ୍କୃତି ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସର୍ବନିମ୍ନ ୩ମିନିଟ ଏବଂ ସର୍ବାଧିକ ୧୦ମିନିଟ ମଧ୍ୟରେ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ହେବା ଆବଶ୍ୟକ ।
ଏହି ନାଗରିକ କୈନ୍ଦ୍ରିକ ପଦକ୍ଷେପରେ ଲୋକଙ୍କ ସର୍ବାଧିକ ଅଂଶ ଗ୍ରହଣକୁ ଏହାଦ୍ୱାରା ଉତ୍ସାହିତ କରାଯାଇପାରିବ। ଚଳଚ୍ଚିତ୍ରଗୁଡିକ ହିନ୍ଦୀ,ଇଂରାଜୀ, ଇଂରାଜୀ ଉପ-ଶୀର୍ଷକ କିମ୍ବା ଯେକୌଣସି ଭାରତୀୟ ଭାଷାରେ ହୋଇପାରେ । ପ୍ରବେଶଗୁଡ଼ିକ ଗ୍ରହଣ କରିବାର ଶେଷ ତାରିଖ ୩୧ ଅଗଷ୍ଟ, ୨୦୨୫। ଜିଲ୍ଲାର ଆଗ୍ରହୀ ବିଭିନ୍ନ ଅନୁଷ୍ଠାନ,ମହାବିଦ୍ୟାଳୟ, ନାଗରିକ ସମାଜ, ସ୍ବେଛାସେବୀ ଅନୁଷ୍ଠାନ ଓ ଗ୍ରାମପଞ୍ଚାୟତ ଗୁଗୁଲ୍ ଡ୍ରାଇଭ୍ ବ୍ୟବହାର କରି ପ୍ରବେଶଗୁଡିକ nhreshortfilm@gmail.com ରେ ଅନଲାଇନରେ ପଠାଇ ପାରିବେ। ଏଥିପାଇଁ ଜଗତସିଂହପୁର ଜିଲ୍ଲାବାସୀ ଙ୍କୁ ଆବେଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
