କେନ୍ଦ୍ରାପଡ଼ା,୧୬/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ତୁଳସୀକ୍ଷେତ୍ରର କ୍ଷେତାଧିପତି ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଧନୁ ସଂକ୍ରାନ୍ତିରେ ପ୍ରଭୁଙ୍କ ପାଖରେ ପହିଲି ଭୋଗ ଆରମ୍ଭ ହୋଇ ଲାଗି ହୋଇଛି ଧନୁମୁଅାଁ । ଶାସ୍ତ୍ର ପ୍ରଚଳିତ ପ୍ରଥା ଅନୁଯାୟୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଧନୁ ସଂକ୍ରାନ୍ତି ପୂର୍ବ ରାତି ମାସନ୍ତ ରେ ନିଜ ପିତ୍ରାଳୟକୁ ଯାତ୍ରା କରିଥାନ୍ତି । ଏହି ଯାତ୍ରା ଏକ ମାସ ଧରି ମକର ସଂକ୍ରାନ୍ତି ପୂର୍ବ ମାସନ୍ତ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟରେ ମନ୍ଦିରର ସମସ୍ତ ଦାୟିତ୍ୱ ମାତା ଜସମତିଙ୍କ ପାଖରେ ଥାଏ ।
ମା’ ଜସମତି ବ୍ରାହ୍ମ ମୁହୂର୍ତର୍ରୁ ଉଠି ପୁତ୍ର ବଳରାମ ଓ ଶ୍ରୀକୃଷ୍ଣଙ୍କ ଲାଗି ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତ କରି ପୁତ୍ରଙ୍କ ପାଖରେ ପରଷି ଦେଇଥାନ୍ତି । ଏହି ଭୋଗକୁ ପହିଲି ଭୋଗ କୁହାଯାଇଥାଏ । ଆଜି ତୁଳସୀ କ୍ଷେତ୍ରରେ ଏହି ପହିଲି ଭୋଗ ଆରମ୍ଭ ହୋଇ ଯାଇଛି । ମଙ୍ଗଳବାର ଭୋର ଚାରିଟାରୁ ଦ୍ୱାର ଉନ୍ମୁକ୍ତ କରାଯାଇ ଜୟ ମଙ୍ଗଳା ଆଳତି ହୋଇଥିଲା । ପରେ ନୀତିସ୍ନାନ ଓବ ବେଶ ବଲ୍ଲଭ ହୋଇଥିଲା । ଏହି ବଲ୍ଲଭ ସମୟରେ ପ୍ରଭୁଙ୍କ ପାଖରେ ପହିଲି ଭୋଗ ଅର୍ପଣ କରାଯାଇଥିଲା ।
ଏହି ଭୋଗରେ ପୋଡପିଠା, ପକୁଡ଼ି, ଡାଳିମ୍ବ, ଲଡୁ ଓ କାକରା ଭୋଗ ଲାଗି କରାଯାଇଥିଲା । ଭୋଗ ସମ୍ପନ୍ନ ପରେ ଆଳତି ହୋଇଥିଲା । ଏହି ଆଳତି ଭୋଗ ଏକ ମାସ ଧରି ଚାଲିବ । ଆଜି ପବିତ୍ର ଧନୁ ସଂକ୍ରାନ୍ତି ଥିବାରୁ ମହାପ୍ରଭୁଙ୍କ ପାଖ ରେ ଧନୁମୁଅାଁ ଭୋଗ ଲାଗି କରାଯାଇଥିଲା । ଭୋଗ ସମର୍ଣ୍ଣ ପରେ ପାର୍ଶ୍ୱ ଦେବଦେବୀଙ୍କର ପାଖରେ ଲାଗି ହୋଇଥିଲା । ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା ବୋଲି ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତ ।
