କେନ୍ଦ୍ରାପଡ଼ା, ୧୬/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର “ପୂର୍ବତନ ସୈନିକ ସଂଘ’ ପକ୍ଷରୁ ୫୪ ତମ ବିଜୟ ଦିବସ ସଂଘ ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ତତ୍ୱାବଧାନରେ ତିନିମୁହାଣୀ ସ୍ଥିତ ନୂତନ ଅମର ଯବାନ ସହିଦସ୍ତମ୍ଭ ସ୍ମାରକୀ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ସହିଦସ୍ତମ୍ଭ ସମ୍ମୁଖରେ ଅଧ୍ୟକ୍ଷ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଓ ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର ମିଳିତ ଫୁଲ (ରିତ୍) ସହିଦ ସ୍ତମ୍ଭରେ ଅର୍ପଣ କରିଥିଲେ । ସଦସ୍ୟମାନେ ଜାତୀୟସଂଗୀତ ଗାନ କରିଥିଲେ ।
ସମସ୍ତ ସଦସ୍ୟ ସହିଦମାନଙ୍କ ଉଦ୍ଧେଶ୍ୟରେ ସାଲୁ୍ୟଟ ପ୍ରଦାନ କରିଥିଲେ । ୧୯୭୧ ମସିହାର ଭାରତ ପାକିସ୍ତାନ ଏହି ୧୩ ଦିନ ଯୁଦ୍ଧରେ ଭାରତ ମାତୃକାର ସେବାରେ ସର୍ବୋଚ୍ଚ ବଳିଦାନ ପ୍ରଦାନ କରିଥିବା ବୀର ମାନଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପାର୍ଥନା କରି ଦିବଂଗତ ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କୁ ପାର୍ଥନା କରିଥିଲେ । ଏହା ସହିତ ସଂଗଠନର ସଦସ୍ୟ ଅନୂଆପଡା ସ୍ଥିତ(ଡାଲଜି) ଗ୍ରାମର କୈଳାସ ଚନ୍ଦ୍ର ପ୍ରଧାନଙ୍କ ନିଧନ ପାଇଁ ତାଙ୍କ ଉଦ୍ଧେଶ୍ୟରେ ଭାବବିହ୍ୱଳ ଅଶ୍ରୁଳ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଥିଲା । ୫୪ ତମ ବିଜୟ ଦିବସରେ ୧୯୭୧ ମସିହାର ୧୩ ଦିନ ଯୁଦ୍ଧର ଗାଥାରେ ପୂର୍ବ ପାକିସ୍ତାନରୁ ଅଲଗା ହୋଇ ଏକ ନୂତନ ଦେଶ ବଙ୍ଗଳାଦେଶ ଗଠିତ ହୋଇଥିଲା ।
ପାକିସ୍ତାନର ୯୩ ହଜାର ସୈନିକ କିପରି ଭାରତ ପାଖରେ ଆତ୍ମସମର୍ପଣ କରିଥିଲେ ତାହା ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର ସଦସ୍ୟ ମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଟ ସଦସ୍ୟ ସୁବେଦାର ମେଜର ପ୍ରଦିପ କୁମାର ସାହୁ, କୋଷାଧ୍ୟକ୍ଷ ଏମ.ଡବ୍ଲୁ.ଓ ମନୋଜ କୁମାର ବାରିକ, ସୁବେଦାର ଗୌରାଙ୍ଗ ଚରଣ ସ୍ୱାଇଁ, ନାୟକ ପ୍ରଫୁଲ୍ଲ କୁମାର ଉପାଧ୍ୟାୟ, ସୁବେଦାର ଶରତ ଚନ୍ଦ୍ର ରାଉତ, ନାୟକ ସୁଶାନ୍ତ କୁମାର ସ୍ୱାଇଁ ଓ ସୁବେଦାର ଜୟନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
