ଡିଏଭି ପୋଖରୀପୁଟରେ ବାର୍ଷିକ ଉତ୍ସବ  “ବସ୍ତାନି” ଅନୁଷ୍ଠିତ

ଭୁବନେଶ୍ୱର, ୧୫/୧୨/୨୦୨୫ (ଓଡ଼ିଶା ସମାଚାର)-  ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ ”ବସ୍ତାନି” ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ ବାର୍ଷିକ ଉତ୍ସବର ଶୁଭ ଉଦ୍.ଘାଟନ କରାଯାଇଥିଲା  ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଅବସରପ୍ରାପ୍ତ ଏୟାର କମାଣ୍ଡର ନିରଞ୍ଜନ କୁମାର ପାର୍ହୀ ”ବିଫଳତା କିପରି ସଫଳତାର ମୂଳମନ୍ତ୍ର ସାଜିଥାଏ” ଏହି ବିଚାରଧାରାକୁ  ପ୍ରମାଣିତ କରିବା ପାଇଁ କେତେକ ମହନୀୟ ବ୍ୟକ୍ତିଙ୍କ ଉଦାହରଣ ଉପସ୍ଥାପନ ପୂର୍ବକ ବିଦ୍ୟାର୍ଥୀମାନଙ୍କୁ ସେହି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ । କଠିନ ପରିଶ୍ରମ, ଶିକ୍ଷକଙ୍କ ପ୍ରତି ସମ୍ମାନ ଓ ସମାଜପ୍ରତି ସମର୍ପଣ ଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ରହିବା ଉଚିତ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଡିଏଭି ଓଡ଼ିଶା ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ନିଃସ୍ୱାର୍ଥପର ଭାବ ସହିତ ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟକରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଡିଏଭି ଜୋନ୍ ଏଫ୍.ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କୃତିତ୍ୱଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ମ୍ୟାନେଜର ଡ. ଭାଗ୍ୟବତୀ ନାୟକଙ୍କ ସମେତ କଟକ ଓ ଭୁବନେଶ୍ୱରସ୍ଥିତ ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ସାଂସ୍କୃତିକ ବିଭାଗର ମୁଖ୍ୟ ସଂଯୋଜିକା ସାରଦା ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏଲକେଜିରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *