କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟକୁ ସଂଯୋଗୀକରଣ ରାସ୍ତା ଆବଶ୍ୟକ

କେନ୍ଦ୍ରାପଡ଼ା, ୨୭/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ଠାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟକୁ କେନ୍ଦ୍ରାପଡ଼ା – ଇନ୍ଦୁପୁର ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ ଓ ବ୍ୟସ୍ତବହୁଳ ରାସ୍ତା ହୋଇଯାଇଛି । ଫଳରେ ସେହି ରାସ୍ତା ଦେଇ ଛାତଛାତ୍ରୀମାନେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ଓ ବିଦ୍ୟାଳୟରୁ ଗୃହକୁ ପ୍ରସ୍ଥାନ କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ ପ୍ରବେଶ ପଥ ଦେଇ ଏକ ରାସ୍ତା ବାରିମୂଳ ଉପକାରାଗାରକୁ ଯାଇଛି । ଫଳରେ ସେହି ରାସ୍ତା ଦେଇ ବଡ ବଡ ପୋଲିସ ଗାଡି ଗୁଡିକରେ କଏଦୀମାନେ ଅଧିକାଂଶ ସମୟରେ କାରାଗାରରୁ ଅଦାଲତକୁ ଆସିବା ଓ ଅଦାଲତରୁ କାରାଗାରକୁ ଯିବା ଆସିବା କରିଥାନ୍ତି । ଏହାବ୍ୟତୀତ କାରାଗାରରେ ସମସ୍ୟା ଉପୁଜିଲେ ପୋଲିସ ବଳ କାରାଗାରକୁ ସେହି ପଥ ଦେଇ ଯାଇଥାନ୍ତି । ଅନ୍ୟାନ୍ୟ ସରକାରୀ ଗାଡି ଗୁଡିକ ମଧ୍ୟ ସେହି ରାସ୍ତା ଦେଇ କାରାଗାରକୁ ଯାଇଥାଏ । ଫଳରେ ରାସ୍ତାଟି ଅବରୋଧ ହୋଇଯିବାରୁ ସେହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ବିଦ୍ୟାଳୟକୁ ଯିବା ଆସିବା କରିବାରେ ଘୋର ବାଧା ସୃଷ୍ଟି ହୋଇଥାଏ । ଏମିତିକି ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ମଧ୍ୟ ଆହତ ହୋଇଥାନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ପୂର୍ବ ପାଶ୍ୱର୍ ଦ୍ୱାର ନିକଟରୁ ଏକ ସରକାରୀ ଜମି କେନ୍ଦ୍ରାପଡା-ଇନ୍ଦୁପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଦେଖିବାକୁ ମିଳୁଛି । ଯଦି ସେହି ଜମି ଉପରେ କେନ୍ଦ୍ରୀୟ ବିଦ୍ୟାଳୟକୁ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇପାରନ୍ତା ତେବେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୁର୍ଘଟଣାରୁ ରକ୍ଷା ପାଇବା ସହିତ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ଯିବା ଆସିବା କରି ପାରନ୍ତେ ବୋଲି ଛାତ୍ର ଓ ଅଭିଭାବକମାନେ କହିଛନ୍ତି । ପୂର୍ବରୁ ଏହି ସମସ୍ୟା ସମ୍ପର୍କରେ ଛାତ୍ରାଭିଭାବକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜନ ପ୍ରତିନିଧି ଓ ଜିଲ୍ଲାପାଳଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରାଯାଇଛି । କିନ୍ତୁ ଅଦ୍ୟାବଧି ସମସ୍ୟାର ସମାଧାନ ହୋଇପାରି ନାହିଁ । କୁନି କୁନି ଛାତ୍ରଛାତ୍ରୀମାନଙ୍କର ବୃହର ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରଛାଭିଭାବକମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *