ଚାଇଲ୍ଡ ହେଲ୍ପ ଲାଇନର ଅଭିମୁଖୀକରଣ ପ୍ରଶିକ୍ଷଣ ଅନୁଷ୍ଠିତ

ଯାଜପୁର,୧୨/୧୨/୨୦୨୫ (ଓଡ଼ିଶା ସମାଚାର)-ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଚାଇଲ୍ଡ ହେଲ୍ପ ଲାଇନ କର୍ମଚାରୀ ଓ ଅଧିକାରୀଙ୍କ କିଶୋର ନ୍ୟାୟ ଅଧିନିୟମ ଓ ଚାଇଲ୍ଡ ହେଲ୍ପ ଲାଇନର କାର୍ଯ୍ୟଧାରା ସମ୍ପର୍କିତ ଏକଦିବସୀୟ ଅଭିମୁଖୀକରଣ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥିରୂପେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ, ଶିଶୁ ମଙ୍ଗଳ କମିଟିର ଅଧକ୍ଷା ରେକ୍ସନା ଜେନା, ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ, ଅଣଆନୁଷ୍ଠାନିକ ଅଧିକାରୀ ଅର୍ଚ୍ଚନା ସାମନ୍ତ ଯୋଗଦେଇଥିଲେ।

ଅତିଥିମାନେ ଯତ୍ନ ଓ ସୁରକ୍ଷା ଲୋଡୁଥିଵା ଶିଶୁମାନଙ୍କ ଉଦ୍ଧାର, ଥଇଥାନ ଓ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ପାଇଁ ଜନ ସଚେତନତା ଓ ଜନ ସହଯୋଗର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ। ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଅଂଶୀଦାର ଓ ସ୍ବେଛାସେବୀ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ଏହା ସମ୍ଭବ ହୋଇପାରିବ। ଶ୍ରମ କାର୍ଯ୍ୟରେ ନିୟୋଜିତ ଶିଶୁ, ପିତାମାତା ହରାଇ ଥିବା ଶିଶୁ, ବାଲ୍ୟ ବିବାହଓ ଯୌନ ନିର୍ଯାତନାର ସମ୍ମୁଖୀନ ହେଉଥିବା ଶିଶୁମାନଙ୍କ ଉଦ୍ଧାର ଓ ସୁରକ୍ଷା କ୍ଷେତ୍ରରେ  ଚାଇଲଡ ହେଲ୍ପ ଲାଇନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ୧୦୯୮ ନମ୍ବରକୁ   ଯେ କୌଣସି ବ୍ୟକ୍ତି କଲ୍ କରି ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ  କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି। ଅସୁବିଧାଜନକ ସ୍ଥିତିରେ ଥିବା ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇଥାଏ ଚାଇଲ୍ଡ ହେଲ୍ପ ଲାଇନ।

ଜିଲ୍ଳାପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଥିବା ଚାଇଲ୍ଡ ହେଲ୍ପ ଲାଇନ ଶିଶୁମାନଙ୍କ ପାଇଁ ୨୪ ଘଣ୍ଟିଆ ଜରୁରୀ କାଳୀନ ସେବା ପ୍ରଦାନ କରୁଅଛି। ଏହି କାର୍ଯ୍ୟକ୍ରମଟି ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଗତ ଓ ପିଲାମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ସହ ଶିଶୁମଙ୍ଗଳ କମିଟିରେ ଥଇଥାନ କରିଥାଏ। ବିଷୟ ବିଶାରଦ ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ଓକିଲ ଚିତ୍ତରଞ୍ଜନ ମହାନ୍ତି କିଶୋର ନ୍ୟାୟ ଅଧିନିୟମ ଉପରେ ବିଷଦ ଭାବେ ଆଲୋଚନା କରିଥିବାବେଳେ ଶିଶୁ ମଙ୍ଗଳ କମିଟିର ପ୍ରାକ୍ତନ ସଦସ୍ୟ ହୃଷିକେଶ ପଣ୍ଡା ଓ ଚାଇଲ୍ଡ ହେଲ୍ପ ଲାଇନ, କଟକର ନାରାୟଣ ଶୁକ୍ଳ ଶିଶୁ ଉଦ୍ଧାର ଓ ଥଇଥାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟର ସମସ୍ତ ଅଧିକାରୀ, ଚାଇଲ୍ଡ ହେଲ୍ପ ଲାଇନ ଓ ମହିଳା ହେଲ୍ପ ଲାଇନର  କର୍ମଚାରୀ ଓ ଅଧିକାରୀ, ଏକକ ରହଣି କେନ୍ଦ୍ର, ରୁଚିକା ସମାଜ ସେବା ସଂସ୍ଥା, ଶକ୍ତି ସଦନ ଏବଂ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ଯୋଗ ଦେଇଥିଲେ। ଶିଶୁ ସୁରକ୍ଷା ୟୁନିଟର ଶିଶିର କୁମାର ମଲ୍ଲିକ, ପ୍ରମିଳା ସାହୁ, ସରୋଜ ପରିଡା, ରବିନ୍ଦ୍ରନାଥ ସେଠୀ ଓ ଶିଶୁ ହେଲ୍ପ ଲାଇନର ସଂଯୋଜକ ବରେନ୍ଦ୍ର କୃଷ୍ଣ ଦାଶ, ବିନ୍ଦୁ ସାଗର ସାହୁ, ରଜତ କୁମାର ସାହୁ, ସସ୍ମିତା ଜେନା, ଜ୍ୟୋତିର୍ମୟୀ ମିଶ୍ର ଓ ମଧୁସ୍ମିତା ଦଳାଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ କାଳୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *