— ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟକ୍ଷମ ଯୋଜନା ଏବଂ ସୁବିଧା ଉପରେ ଅତିଥିଙ୍କ ଗୁରୁତ୍ଵ
— ଭିନ୍ନକ୍ଷମ କଳାକାରଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ପରିବେଷଣ
ଯାଜପୁର,୦୩/୧୨/୨୦୨୫ (ଓଡ଼ିଶା ସମାଚାର)-ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ଶ୍ରୀ ମହାନ୍ତି କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଭିନ୍ନକ୍ଷମମାନଙ୍କର ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଉଛନ୍ତି, ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ। କୌଣସି ଭିନ୍ନକ୍ଷମ ପିଲା ଯେପରି ନିଜକୁ ଅକ୍ଷମ ମନେ ନ କରନ୍ତି ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେଥିପ୍ରତି ସରକାର ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି। ଏହି ଆଭିମୁଖ୍ୟ ନେଇ ସର୍ବସାଧାରଣ ସ୍ଥାନମାନଙ୍କରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି।
ଆଜି ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାନକୀ ହେମ୍ବ୍ରମ ସ୍ୱାଗତ ସୂଚନା ପ୍ରଦାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ପେନସନ ତଥା ଅନ୍ୟାନ୍ୟ ବିଭିନ୍ନ ସହାୟତା ଯୋଜନା ଉପରେ ଆଲୋକପାତ କରିଥିଲେ। ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ବାଣୀଶ୍ରୀ ସ୍କଲାରସିପ, ପ୍ରି-ମାଟ୍ରିକ, ପୋଷ୍ଟ ମାଟ୍ରିକ, ସ୍ନାତକୋତ୍ତର ମେଧା ବୃତ୍ତି ପ୍ରଦାନ କରାଯାଉଛି। ସେମାନଙ୍କୁ ପ୍ରଦାନ କରାଯାଉଥିବା ଯୋଜନାରେ ବଣ୍ଟା ଯାଉଥିବା ଉପକରଣ, ମାଗଣା ଲାପଟପ୍, ଡି.ଆର.ଆଇ ଲୋନ, ଏନ୍. ଏଚ୍.ଏଫ୍.ଡି.ସି ଲୋନ୍, ବୈବାହିକ ପ୍ରୋତ୍ସାହନ ସହାୟତା (୨ ଲକ୍ଷ ୫୦ ହଜାର), ଆତ୍ମସହାୟକ ଦଳଙ୍କୁ ମିଶନ କ୍ଷମତା ଯୋଜନାରେ ଆର୍ଥିକ ସହାୟତା, ସ୍ଵତନ୍ତ୍ର ବିଦ୍ୟାଳୟରେ ପଢ଼ିବା ସୁଯୋଗ, ବସ ପାସ, ଟ୍ରେନ୍ ପାସ୍, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଂରକ୍ଷଣ, ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି।

ଭିନ୍ନକ୍ଷମ ଅଭିଭାବକଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଉଛି। ମୁଖ୍ୟ ବକ୍ତା ଶ୍ରୀ ମଣ୍ଟୁ ଦାସ ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ଏବଂ ଏକ ସମାବେଶୀ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହି ଦିବସ ପାଳନ ଅବସରରେ ପ୍ରଥମେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପର୍ଯ୍ୟନ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଉଦଘାଟନ କରିବା ସହ ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ପାରା-ସନ୍ତରଣକାରୀ ଗୋଲାପୀ ସୀର୍କା ନିଜ ଅଭିଜ୍ଞତା ବାଣ୍ଟିଥିଲେ। ଏହି ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିଛି ଭିନ୍ନକ୍ଷମ କଳାକାର ଭକ୍ତିଭରା ଭଜନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। 



