ପାଟକୁରା ୨୧/୦୨/୨୦୨୫ (ଓଡିଶା ସମାଚାର )-ସ୍ୱଛ ଓ ସବୁଜ ଗ୍ରାମପଞ୍ଚାୟତ ସମ୍ପର୍କିତ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି (ଶୁକ୍ରବାର) ବ୍ଳକ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଏହାକୁ ଉଦଘାଟନ କରିଛନ୍ତି । ମଣ୍ଡଳ ଉନ୍ନୟନ ଅଧିକାରୀ ଆଲୋକ କୁମାର ସେଠୀ, ଜିଲ୍ଲା ମାଷ୍ଟର ଟ୍ରେନର ପଦ୍ମଚରଣ ସାମନ୍ତରାୟ, ବ୍ଳକ ସାମ୍ପ୍ରସାରଣ ଅଧିକାରୀ ମୃଣୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ତାଲିମ ନେବାପାଇଁ ବଡବେତରା, ବଙ୍ଗାଳପୁର, ବେଡାରୀ, ବନ୍ତଳା ଓ ଭଗବାନପୁର ଆଦି ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତ ର ଅଙ୍ଗନୱାଡି କର୍ମୀ ଓ ସମସ୍ତ ସି ଆର ପି ମାନେ ଯୋଗ ଦେଇ ଥିଲେ । ସ୍ୱଛତା ଓ ବୃକ୍ଷ ରୋପଣ ଉପରେ ମାଷ୍ଟର ଟ୍ରେନର ଗୁରୁତ୍ୱ ଦେଇଥିଲେ । ପଂଚାୟତ ଅଂଚଳ ମଧ୍ୟରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ସେ ପରାମର୍ଶ ଦେଇଥିଲେ । ବୃକ୍ଷ ରୋପଣ ସାଙ୍ଗକୁ ଗଛର ରକ୍ଷଣା ବେକ୍ଷଣ ଅଧିକ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।
ବାୟୁ ପ୍ରଦୂଷଣ କାରଣରୁ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ ଯଥେଷ୍ଟ ହ୍ରାସ ପାଉଛି । ଏଣୁ ଅଧିକ ବୃକ୍ଷ ରୋପଣ ହେଲେ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ ବୃଦ୍ଧି ପାଇବ ଓ ଏହା ମନୁଷ୍ୟ ସ୍ୱାସ୍ଥ୍ୟ ପ୍ରତୀ ଅଧିକ ଲାଭଦାୟକ ହେବ ବୋଲି କହିଥିଲେ । ଗ୍ରାମାଞ୍ଚଳରେ ରହୁଥିବା ଅଙ୍ଗନୱାଡି ମା ମାନଙ୍କର ସମାଜ ଉପରେ ଅଧିକ ଲୋକପ୍ରିୟତା ଥାଏ । ସେମାନେ ଚାହିଁଲେ ବୃକ୍ଷ ରୋପଣ ଓ ସ୍ୱଚ୍ଛତା ଉପରେ ଲୋକମାନଙ୍କୁ ଅଧିକ ସଚେତନ କରିପାରିବେ ବୋଲି ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ ଓ ସିଆରପି ମାନେ ଚାହିଁଲେ ଅଧିକ ବ୍ୟାପକ କରିପାରିବେ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ଆଲୋକ କୁମାର ସେଠୀ କହିବା ସହିତ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସେମାନଙ୍କ ସହଯୋଗ ଲୋଡ଼ିଥିଲେ । ଏତତ ବ୍ୟତୀତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଛିବା ପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀ ଗୁରୁତ୍ୱ ଆରୋପ କରିଥିଲେ । ସର୍ଭେ କାର୍ଯ୍ୟରେ କିଭଳି ହିତାଧିକାରୀମାନେ ନିଜେ ନିଜର ସର୍ଭେ କରିପାରିବେ ସେ ବାବଦରେ ସମସ୍ତଙ୍କୁ ବୁଝାଇଥିଲେ ଓ ସମସ୍ତ ହିତାଧିକାରୀଙ୍କୁ ବୁଝାଇବାପାଇଁ କହିଥିଲେ । ଏପରି ହେଲେ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିବେ ନାହିଁ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ କହିଥିଲେ ।
