ତିନିଦିନ ବ୍ୟାପୀ ହେବ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀର ରାଜ୍ୟବ୍ୟାପୀ ଉଦଯାପନୀ ଉତ୍ସବ

ଭୁବନେଶ୍ୱର,୩୦/୧୧/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଶାର ଘରେ ଘରେ ମାଆ ରୂପେ ପରିଚିତା ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ମାଆ ରମାଦେବୀ ଆଜି ବଞ୍ଚିଥିଲେ ତାଙ୍କୁ ୧୨୫ ବର୍ଷ ପୁରନ୍ତା। ସ୍ବାଧୀନତା ଆନ୍ଦୋଳନ କାଳରେ ତାଙ୍କ ପ୍ରେରଣାରେ ଶହ ଶହ ମହିଳା ଏଥିରେ ସାମିଲ ହେବା ସହ ଭାରତବର୍ଷକୁ ଶୃଙ୍ଖଳମୁକ୍ତ କରାଇପାରିଥିଲେ। ରମାଦେବୀଙ୍କ ପ୍ରେରଣାରେ କେବଳ ସେ ନୁହନ୍ତି, ତାଙ୍କର ସମଗ୍ର ପରିବାର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ସ୍ୱାଧୀନୋତ୍ତର ଭାରତରେ କ୍ଷମତା ରାଜନୀତିକୁ ନଯାଇ ବରଂ ସର୍ବୋଦୟ ଆନ୍ଦୋଳନରେ ଜୀବନ ସମର୍ପି ଦେଇଥିଲେ। ଅଳକା ଆଶ୍ରମ, ଇଞ୍ଚୁଡି ଲବଣ ସତ୍ୟାଗ୍ରହ, ବରୀ ଆଶ୍ରମ ମାଧ୍ୟମରେ କର୍ମୀ ନିର୍ମାଣ, ହରିଜନ ପଦଯାତ୍ରା ସମୟରେ ମାହାତ୍ମା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଭାବରେ କାର୍ଯ୍ୟ, ଭାରତ ଛାଡ଼ ଆନ୍ଦୋଳନରେ ନେତୃତ୍ୱ ପୁଣି ସ୍ୱାଧୀନ ଭାରତରେ ଭୁଦାନ ଗ୍ରାମଦାନ ଆନ୍ଦୋଳନର ନେତୃତ୍ୱ ଠାରୁ ଆରମ୍ଭ କରି ଜରୁରୀ ପରିସ୍ଥିତି ବିରୋଧୀ ସଂଗ୍ରାମରେ ଓଡ଼ିଶାର ନେତୃତ୍ୱ ସବୁଥିରେ ମା ରମାଦେବୀଙ୍କର  ଓଡ଼ିଶାରେ ନାଁ ଡାକ ଥିଲା।

ଉତ୍କଳ ଗୌରବ ମଧୁସୂଦନଙ୍କ ଝିଆରୀ ମାଆ ରମାଦେବୀଙ୍କ ସମଗ୍ର ପରିବାର ପତି ଗୋପବନ୍ଧୁ ଚୌଧୁରୀ, ପୁତ୍ର ମନମୋହନ, କନ୍ୟା ଅନ୍ନପୂର୍ଣ୍ଣା ମହାରଣା, ଦିଅର ନବକୃଷ୍ଣ , ଯାଆ ମାଳତୀ ଦେବୀ, ଝିଆରୀ ଉତ୍ତରା, ଜ୍ବାଇଁ ଶରତ ଚନ୍ଦ୍ର ମହାରଣା, ନାରାୟଣ ଦେଶାଇ, ବୋହୁ ସୁମିତ୍ରା ଦେବୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଶ ପାଇଁ ନିଜ ନିଜ ଜୀବନକୁ ତିଳ ତିଳ କରି ଜାଳି ରାଷ୍ଟ୍ର ନିର୍ମାଣରେ ବ୍ରତୀ ହୋଇଥିଲେ।

ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ, ବାଜିରାଉତ ଛାତ୍ରାବାସ, ଠକ୍କର ବାପା ଆଶ୍ରମ, ଲୋହିଆ ଏକାଡ଼େମୀ, ରମାଦେବୀ ଚୌଧୁରୀ ସ୍ମାରକ ଟ୍ରଷ୍ଟ, ରାଷ୍ଟ୍ରୀୟ ଯୁବା ସଂଗଠନ ଆଦି ସଂଗଠନମାନଙ୍କୁ  ନେଇ ଗଠିତ ଗାନ୍ଧିବାଦୀ ଗଣ  ସଂଗଠନ ସମୁହଙ୍କ ପକ୍ଷରୁ ଆଗାମୀ ଡିସେମ୍ବର ୧ ତାରିଖରୁ ୩ ତାରିଖ ଯାଏ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀର ରାଜ୍ୟବ୍ୟାପୀ ଉଦଯାପନୀ ଉତ୍ସବ ପାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି।୧ ତାରିଖ ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ବାଲିପଡ଼ିଆସ୍ଥିତ ଠକ୍କରବାପା ଆଶ୍ରମ,୨ ତାରିଖରେ ଭୁବନେଶ୍ୱରସ୍ଥିତ  ଲୋହିଆ ଏକାଡ଼େମୀ ପରିସରରେ ତଥା ତିନି ତାରିଖ ଅପରାହ୍ନରେ ତାଙ୍କ ପୈତୃକ ଗୃହ ସତ୍ୟଭାମାପୁରଠାରେ ତଥାସନ୍ଧ୍ୟାରେ କଟକ ଗାନ୍ଧୀ ଭବନ ଓ ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ କରାଯିବ।

ମାଆ ରମାଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମମାନଙ୍କରେ ବହୁସଂଖ୍ୟାରେ  ଯୋଗଦେବା ପାଇଁ କୃଷ୍ଣା ମହାନ୍ତି, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡଃ ବିଶ୍ୱଜିତ, ମିହିର ପ୍ରତାପ ଦାସ, ବିରୁପାକ୍ଷ  ତ୍ରିପାଠୀ, ସନ୍ଧ୍ୟାରାଣୀ ମଲ୍ଲିକ, ଜୟନ୍ତ ଦାସ, ଇଂ ଧନେଶ୍ୱର ସାହୁ, ପ୍ର. ସୀତା ସାହୁ, ଆର୍ଯ୍ୟଭଟ୍ଟ ମହାନ୍ତି, ସୂର୍ଯ୍ୟ  ନାରାୟଣ ନାଥ, ମାନସ ପଟ୍ଟନାୟକ ପ୍ରମୁଖ ପ୍ରେସ ବାର୍ତ୍ତାରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *