ଜିଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା, ୨୫/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆଠାରେ କେନ୍ଦ୍ରାପଡା ଜିଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ବିଶିଷ୍ଟ ଅତିଥି ଭାବରେ ଅତିରିକ୍ତ ଜିଲାପାଳ(ସାଧାରଣ) ପିତାମ୍ବର ସାମଲ ଯୋଗ ଦେଇଥିବାବେଳେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଦାସ, କେନ୍ଦ୍ରାପଡା ଡିଆଇଇଟିର ରାଜକିଶୋର ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିଥିମାନେ ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡା ସବୁଠୁ ଆଗରେ ଥିବାବେଳେ ଜିଲାର ଶିକ୍ଷିତ ବର୍ଗଙ୍କ ସଂଖ୍ୟା ରାଜ୍ୟରେ ସର୍ବାଗ୍ରେ ରହିଛି ବୋଲି କହିଥିଲେ । ପିଲାମାନେ ନିଷ୍ଠାପର ଓ ତ୍ୟାଗ ମନୋଭାବ ନେଇ ପାଠପଢିବା ସହ ପିତାମାତା ଓ ଶିକ୍ଷକମାନଙ୍କୁ ସମ୍ମାନ ଏବଂ ଭକ୍ତି କଲେ ଜୀବନରେ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ । ଏହି ଅବସରରେ ଜିଲାର ୯ଟି ବ୍ଲକରୁ ମୋଟ ୧୭୪୯ ଜଣଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେମାନଙ୍କ ମଧ୍ୟରେ ଜିଲାର ୧୨୦ଜଣ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେନ୍ଟ ଏକାଡେମିକ ଆୱାର୍ଡ, ଷ୍ଟୁଡେନ୍ଟ ବ୍ଲକ ସ୍ତରୀୟ ଆୱାର୍ଡ ୯୧୧ଜଣଙ୍କୁ ଓ ଲିଡରସିପ୍ ଆୱାର୍ଡ ୬୧୯ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ବେଳେ ମାଧ୍ୟମିକ ସ୍କୁଲ ଆୱାର୍ଡ ୨୭ଜଣ ଶିକ୍ଷକଙ୍କୁ, ଏଲିମେଂଟ ସ୍କୁଲ ଆୱାର୍ଡ ୨୭ଜଣ ଶିକ୍ଷକଙ୍କୁ, ଗ୍ରାମ ପଂଚାୟତ ଆୱାର୍ଡ ୯ଜଣ ଜନପ୍ରତିନିଧିଙ୍କୁ, ଆଲୁମିନି କମିଟି ଆୱାର୍ଡ ୯ଜଣଙ୍କୁ, ସ୍କୁଲ ପରିଚାଳନା କମିଟିର ୯ଜଣ ସଭାପତିଙ୍କୁ ଏସଏମସି ଆୱାର୍ଡ, ଏଚଏମ ଆୱାର୍ଡ ୯ଜଣ ପ୍ରଧାନ ଶିକ୍ଷକଙ୍କୁ ଓ ଜୁନିଅରଏଲିମେଂଟାରି ଆୱାର୍ଡ ୯ଜଣ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ନିରଞ୍ଜନ ବେହେରା ଅତିିଥି ପରିଚୟ ପ୍ରଦାନ କରିଥିବାବେଳେ ଆଦିକନ୍ଦ ସାହୁ ମଂଚ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ମନୋଜ ଶତପଥୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ନୋଡାଲ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ପୁରସ୍କୃତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *