୪୮ ଗ୍ରାମର ବ୍ରାଉନସୁଗାର ଜବତ
ଜଗତସିଂହପୁର, ୨୮/୧୧/୨୦୨୫ (ଓଡ଼ିଶା ସମାଚାର)- ବାଲିକୁଦା ଥାନା ଅନ୍ତର୍ଗତ ମାଛଗାଁ ନିକଟସ୍ଥ ଶୋଭା ବଜାର ଠାରେ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ବାଲିକୁଦା ଅବକାରୀ ଥାନା। ଯାଞ୍ଚ ପରେ ତାଙ୍କ ପାଖରୁ ୪୮ ଗ୍ରାମର ହେରୋଇନ୍ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ରୟାଲ ଏନଫିଲ୍ଡ ମୋଟର ସାଇକେଲ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଜଗନ୍ନାଥପୁର ଗ୍ରାମର ପ୍ରଫୂଲ କୁମାର ସ୍ବାଇଁଙ୍କ ପୁଅ ପ୍ରବୀଣ କୁମାର ସ୍ବାଇଁ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁବେଳେ ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା। ଏକ ଗୁଇନ୍ଦା ସୂତ୍ରକୁ ଆଧାର କରି ତାଙ୍କୁ ଧରିବା ପାଇଁ ବାଲିକୁଦା ଅବକାରୀ ଥାନାର ସବ- ଇନ୍ସପେକ୍ଟର ରବି ବେହେରାଙ୍କ ନେତୃତ୍ବରେ ଜଗତସିଂହପୁର ଅବକାରୀ ରେଞ୍ଜ ଓ ଥାନାର ଷ୍ଟାଫମାନଙ୍କୁ ନେଇ ଏକ ଟିମ ଗଠନ କରି ଶୋଭା ବଜାର ଠାରେ ଛଦ୍ମ ବେଶରେ ଜଗି ରହିଥିଲେ।
ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ହେରୋଇନ୍ ଆଣି ଶୋଭା ବଜାରରେ ପହଞ୍ଚିବାକ୍ଷଣି ପୂର୍ବରୁ ଛକି ରହିଥିବା ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୪୮ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିଲା ଯାହାର ଆନୁମାନିକ କଳାବଜାରୀ ମୂଲ୍ୟ ୪ଲକ୍ଷ ୮୦ ହଜାର ଟଙ୍କା ହେବାର ଶ୍ରୀ ବେହେରା ଗଣମାଧ୍ୟମ କୁ କହିଛନ୍ତି।
ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଏହି ଅଭିଯାନରେ କନେଷ୍ଟବଳ ଦୀନବନ୍ଧୁ ସେଠୀ, ଶୁଭଶ୍ରୀ ବିଶ୍ବାଳ, ଜୟଦେବ ପାତ୍ର ପ୍ରମୁଖ ସାମିଲ ଥିଲେ। ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ। ସେ କହିଛନ୍ତି ଅବକାରୀ ବିଭାଗ ମୂଳ ପର୍ୟ୍ୟନ୍ତ ଯିବ। ଅଭିଯୁକ୍ତ ଜଣଙ୍କ କେଉଁଠୁ ହେରୋଇନ୍ ଆଣୁଥିଲେ ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟ୍ ସହ ନିଶାବେପାରୀଙ୍କୁ ଜେଲ୍ ରେ ପୁରାଇବାକୁ ଅଣ୍ଟାଭିଢିଛି ଅବକାରୀ ବିଭାଗ।
