ଢେଙ୍କାନାଳ,୨୪/୧୧/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା ହିନ୍ଦୋଳ ଉପ-କୋଷାଗାରର ପୂର୍ବତନ ବରିଷ୍ଠ କିରାଣି ମନୋରଂଜନ ସାହୁଙ୍କୁ ଭିଜିଲାନ୍ସ ବିଭାଗ ସଦର ଥାନା ଅଞ୍ଚଳରୁ ଗିରଫ କରିଛି । ପରେ ମନୋରଂଜନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି । ସେ ହିନ୍ଦୋଳ ଉପ-କୋଷାଗାରରେ ବରିଷ୍ଠ କିରାଣି ଥିବା ବେଳେ ପେନସନଧାରିଙ୍କ ଟଙ୍କାକୁ ସେମାନଙ୍କ ଆକାଉଣ୍ଟକୁ ନ ପଠାଇ ହଡପ କରିଦେଇଥିଲେ । ମୋଟ ୬୮.୮୫ ଲକ୍ଷ ୪୯୭ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଅଭିଯୋଗ ପରେ ଅଡିଟ୍ ହେବାରୁ ଏହି ଅନିୟମିତତା ପଦାକୁ ଆସିଥିଲା । ଫଳରେ କଟକ ଭିଜିଲାନ୍ସ କେସ ନଂ- ୩୨/୨୪ରେ ଏକ ମାମଲା ରୁଜୁ ହୋଇଥିଲା ।
ଅନିୟମିତତା ସମ୍ପର୍କରେ ହିନ୍ଦୋଳ ଉପ କୋଷାଗାର ଅଧିକାରୀ ୫-୮-୨୦୨୩ରେ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ । ପରେ ମନୋରଂଜନଙ୍କୁ ନିଲମ୍ବିତ କରାଯାଇଥିଲା । ତାଙ୍କୁ ଭୁବନ କୋଷାଗାରରେ ହାଜିର ହେବା ପାଇଁ କୁହାଯାଇଥିଲା । ହେଲେ ସେ ହାଜର ନହୋଇ ଫେରାର ହୋଇଯାଇଥିଲେ । ଏପରିକି ମନୋରଂଜନ ନିଜ ଆକାଉଣ୍ଟ ସହ ନିଜ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟରେ ମଧ୍ୟ ଉକ୍ତ ହଡପ କରିଥିବା ଟଙ୍କାକୁ ଜମା କରିଥିଲେ । ମନୋରଂଜନଙ୍କ ଘର ଓଡାପଡା ବ୍ଲକ ସଦର ଥାନା ସାଇଁବିରି ଗ୍ରାମରେ ସେ ନିଜର ଜଣେ ସମ୍ପର୍କୀୟଙ୍କ ଜନ୍ମଦିନ ପାଇଁ ଭୁବନେଶ୍ୱରରୁ ଢେଙ୍କାନାଳ ଆସି ଫେରୁଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ରାତି ୧୦ଟା ସମୟରେ ସଦରଥାନ ସମ୍ମୁଖ ୫୫ନଂ ଜାତୀୟ ରାଜପଥରୁ ଗିରଫ କରିଥିଲା ।
ଢେଙ୍କାନାଳ ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଅଦାଲତରେ ତାଙ୍କର ଜାମିନ ନାମଂଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଆସନ୍ତା ୩ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ତାରିଖ ଧାର୍ୟ୍ୟହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ଏସମ୍ପର୍କରେ ନିଜ ପ୍ରତିକି୍ରୟାରେ ମନୋରଂଜନ କହିଛନ୍ତି, ତାଙ୍କ ଭଉଣୀ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଚିକିତ୍ସାପାଇଁ ବହୁ ଅର୍ଥର ଆବଶ୍ୟକତା ଥିଲା । ତାଙ୍କ ପାଖରେ ସେଭଳି ଅର୍ଥ ନଥିଲା । ଋଣ ପାଇଁ ଆବେଦନ କରିଥିଲେ । କିନ୍ତୁ କୌଣସି ସହେଯାଗ ମିଳିଲା ନାହିଁ । ଶେଷରେ ଜଣେ ସହେଯାଗିଙ୍କ ପରାମର୍ଶରେ ପେନସନ୍ ଭୋଗୀ ଙ୍କ ଆକାଉଣ୍ଟକୁ ପଠାଉଥିବା ଟଙ୍କାକୁ ସେ ନିଜ ଆକାଉଣ୍ଟ ଏବଂ ପରିବାର ସଦସ୍ୟଙ୍କ ଆକାଉଣ୍ଟରେ ଡପୋଜିଟ କରିଥିଲେ ।
ପରେ ଏସବୁ ଟଙ୍କାକୁ ଶୁଝି ଦେବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ଭଉଣି ରୋଗରେ ମରିଗଲା । ଭାଇ ଭାବରେ ଭଉଣିର ଚିକିତ୍ସା କରିପାରି ନଥିବାରୁ ସେ ବହୁତ ଅନୁତପ୍ତ । ଯାହା ହେଲେବି ଭୁଲ କରିଥିବା ସ୍ୱୀକାର କରୁଛନ୍ତି ବୋଲି ମନୋରଂଜନ କହିଛନ୍ତି । ୨୦୧୧ରେ ସରକାରୀ ଚାକିରିରେ ଥିବା ନିଜର ପିତାଙ୍କ ମୃତୁ୍ୟ ପରେ ଅନୁକମ୍ପା ମୂଳକ ଭାବେ ମନୋରଂଜନ କନିଷ୍ଠ କିରାଣି ଭାବେ ଚାକିରି ପାଇଥିଲେ ।
