ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି : ମନମୋହନ ସାମଲ
ଭୁବନେଶ୍ୱର,୨୪/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବଲିଉଡ୍ର ହି-ମ୍ୟାନ୍, ପଦ୍ମଭୂଷଣ, ପୂର୍ବତନ ସାଂସଦ ଏବଂ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ଏକ ଯୁଗର ଅନ୍ତ ହୋଇଛି । ସେ ଜଣେ ଯୁଗଜନ୍ମା କଳାକାର ଭାବେ ଅନେକ ଚଳଚ୍ଚିତ୍ରରେ ତାଙ୍କ ନିପୁଣ ଅଭିନୟରେ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ କରିବା ସହ ଅନେକ ସୁନାମ ଅର୍ଜନ କରିଥିଲେ । ତାଙ୍କର ଜୀବନ୍ତ ଅଭିନୟ ମାଧ୍ୟମରେ ଦେଶବାସୀଙ୍କ ହୃଦୟରେ ସେ ଯେଉଁ ସ୍ଥାନ ଅଧିକୃତ କରିଛନ୍ତି ତାହା ଚିର କାଳ ପାଇଁ ଅମର । ବଲିଉଡ୍ରେ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଏକ ଖୋରାକ୍ ଯୋଗାଇଥିଲା ତାଙ୍କ ଅଭିନୟ । ସ୍ୱର୍ଗତଃ ଧର୍ମେନ୍ଦ୍ରଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି ଶ୍ରୀ ସାମଲ କହିଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଧର୍ମେନ୍ଦ୍ରଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଶ୍ରୀ ସାମଲ ସମବେଦନା ଜ୍ଞାପନ କରିଛନ୍ତି ।
