ଭୁବନେଶ୍ୱର,୨୯/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭାରତର ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ପାଇଥିବା ଲୋକଙ୍କ ମଧ୍ୟରେ ଜନସେବା, ଚିକିତ୍ସା, ଶିଳ୍ପ, କଳା, ବିଜ୍ଞାନ, ଚଳଚ୍ଚିତ୍ର ଆଦି ବିଭିନ୍ନ ଜଗତର ଅନେକ ଲୋକ ଅଛନ୍ତି । ଏଥିରେ ଶେଖର କପୁରଙ୍କଠାରୁ ଆରମ୍ଭ କରି ଗାୟକ ଅରିଜିତ ସିଂହଙ୍କ ପର୍ଯ୍ୟନ୍ତ ନାମ ରହିଛି । ସେହିପରି ବିଜେତାଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି ।
ସେମାନେ ହେଲେ ଅଦ୍ୱେତ ଚରଣ ଗଡ଼ନାୟକ (କଳା), ପ୍ରଫେସର (ଡ. ଅଶୋକ କୁମାର ମହାପାତ୍ର (ଚିକିତ୍ସା), ଡ. ପ୍ରତିଭା ଶତପଥୀ (ସାହିତ୍ୟ ଓ ଶିକ୍ଷା), ଶ୍ରୀ ଦୁର୍ଗା ଚରଣ ରଣବୀର (କଳା) । କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରବୀଣ ଗାୟକ ପଙ୍କଜ ଉଦାସଙ୍କୁ ମରଣୋତର ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ତାଙ୍କ ପତ୍ନୀ ଫରିଦା ପଙ୍କଜ ଉଦାସ ରାଷ୍ଟ୍ରତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ଜଣେ ପ୍ରସିଦ୍ଧ ଭାରତୀୟ ମୂର୍ତିଶିଳ୍ପୀ, ଯିଏ କି କଳା ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜଣାଶୁଣା । ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଐତିହ୍ୟର ଗଭୀରତାକୁ ପ୍ରତିଫଳିତ କରୁଥିବା ମୂର୍ତି ନିର୍ମାଣରେ ତାଙ୍କର ଦକ୍ଷତା ପାଇଁ ସେ ବହୁତ ପ୍ରଶଂସିତ ।
ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଦେଶର ଜଣେ ବିଶିଷ୍ଟ ନ୍ୟୁରୋ ସର୍ଜନ ଯିଏ କି ଦିଲ୍ଲୀ ଏମ୍ସରେ ୪ ଦଶନ୍ଧି ଧରି କାର୍ଯ୍ୟ କରିବା ସହ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଧେଶକ ଥିଲେ । ଡ. ପ୍ରତିଭା ଶତପଥୀ ଭାରତୀୟ ସାହିତ୍ୟର ଜଣେ ବିଶିଷ୍ଟ ଓ ଜଣାଶୁଣା କବି, ସମାଲୋଚକ, ଅନୁବାଦକ ଓ ସମ୍ପାଦକ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ଜଣାଶୁଣା । ଓଡ଼ିଶୀ ନୃତ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଶ୍ରୀ ଦୁର୍ଗା ଚରଣ ରଣବୀର ତାଙ୍କର ଅସାଧାରଣ ନୃତ୍ୟକଳା ପାଇଁ ଜଣାଶୁଣା ଏବଂ ଜଣେ ଗୁରୁ ଭାବରେ ସମ୍ମାନିତ ।
