କେନ୍ଦ୍ରାପଡ଼ା,୨୨/୧୧/୨୦୨୫(ଓଡ଼ିଶା ସମାଚାର)- ତୁଳସୀକ୍ଷେତ୍ର କଳାକାର ସଂଘର ଜିଲା ସ୍ତରୀୟ ମହୋତ୍ସବର ଦ୍ୱିତୀୟ ଦିବସ ଅବସରରେ ଶନିବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଂଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ କଳାକାରମାନେ ସମାଜରେ ଏକ ମୁଖ୍ୟ ଭୂମିକା ନିଭାଇଥାନ୍ତି । କାରଣ ମନୁଷ୍ୟ କେବଳ କର୍ମ କଲେ ବାସ୍ତବ ଖୁସି ପାଇପାରିବ ନାହିଁ । ମନୁଷ୍ୟ ମନରେ କଳାକାରଙ୍କ ଅଭିନୟର ପ୍ରଭାବ ପଡିଥାଏ । ବିଭିନ୍ନ ଅଭିନୟ ଦେଖିବା ଦ୍ୱାରା ମନୁଷ୍ୟର ମନ ହାଲୁକା ହୋଇଥାଏ । ଯାହା ମନୁଷ୍ୟକୁ ମାନସିକ ଶାନ୍ତି ଦେଇଥାଏ । ତେଣୁ କଳାକାର ମାନଙ୍କୁ ଆମ ସମାଜ ଗୁରୁତ୍ୱ ପ୍ରଦାନ କରିବା ଉଚିତ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ ।
ମୁଖ୍ୟବକ୍ତା ଭାବେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ସ୍ନାୟୁଶଲ୍ୟ ବିଭାଗ ପ୍ରଫେସର ଡାକ୍ତର ରବିନାରାୟଣ ପଣ୍ଡା ଯୋଗଦେଇ ସମାଜରେ ଘଟୁଥିବା ବିଭିନ୍ନ ଚିତ୍ରକୁ କଳାକାର ମାନେ ସେମାନଙ୍କ ଅଭିନୟ ଦ୍ୱାରା ଲୋକଲୋଚନକୁ ଆଣିଥାନ୍ତି । ଫଳରେ ଲୋକମାନେ ସେମାନଙ୍କ ମାଧ୍ୟମରେ ବିଭିନ୍ନ ଶିକ୍ଷା ପାଇଥାନ୍ତି । ଏହି ଶିକ୍ଷା ଦ୍ୱାରା ମନୁଷ୍ୟ ନିଜ ଜୀବନ ଯାତ୍ରାକୁ ଆଗେଇ ନେଇଥାଏ ବୋଲି ଡା. ପଣ୍ଡା କହିଥିଲେ । ସମ୍ମାନିତ ଅତିଥି ଭାବେ କଂଗ୍ରେସର ରାଜ୍ୟ ସମ୍ପାଦିକା ସଶ୍ମିତା ପଣ୍ଡା, ଜଗତସିଂହପୁରର ପାଲାଗାୟକ ନାରାୟଣ ମହାରଣା ଓ ଆଠଗଡର ପାଲା ଗାୟକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ କଣ୍ଠଶିଳ୍ପୀ ଦେବରିତୀ ରାଉତ, ପାଲାଗାୟକ ଶ୍ରୀଧର ସାହୁ, ଶିକ୍ଷକ ସୀତାକାନ୍ତ ରାଉଳ, ପାଲାଗାୟକ ଚିନ୍ମୟ ଦାସ, ସମାଜସେବୀ ପ୍ରଶାନ୍ତ ବିଶ୍ୱାଳ ଓ କେଦାରନାଥ ପରିଡା ପ୍ରମୁଖ ୧୦ଜଣଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଗଗନବିହାରୀ ସିଂହ ମହୋତ୍ସବର ଉଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ ବିବରଣୀ ପାଠ ଓ ପ୍ରବଚକ ନିରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଉପସଭାପତି ସବିତା ବରଜ, ସାଂସ୍କୃତିକ ସମ୍ପାଦକ ବାବାଜି ପଟ୍ଟନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଦେବେନ୍ଦ୍ର କୁମାର ଦାସ, ପ୍ରଫୁଲ୍ଲ ଦାସଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ଓ ସଭ୍ୟସଭ୍ୟାମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଜିଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୬୨ଟି ସାଂସ୍କୃତିକ ଦଳ ଭଜନ, ଜଣାଣ, ସଂକୀର୍ତନ, ଘୋଡାନାଚ, କେନ୍ଦରାଗୀତ, ଖଞ୍ଜଣୀ ଭଜନ, ସଖୀନାଟ, ଓଡିଶୀନୃତ୍ୟ, ଏକତାରା ଭଜନ, ଦାସକାଠିଆ ଓ ପାଲା ପ୍ରଭୃତି ପରିବେଷଣ କରିଥିଲେ ।
