ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ

ଉତ୍ପାଦକ, ନିବେଶକ, ସରକାର ଏକାଠି – ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର,୨୩/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗ୍ରିଡକୋ ଏବଂ ଆଇଫରେଷ୍ଟ (iFOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା 7.5 ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି ।  ଏହା ରାଜ୍ୟର ୧୦.୯୫ ଗିଗା ୱାଟ ଭଳି ବୃହତ ଲକ୍ଷ୍ୟ ପୂରଣରେ ସହାୟକ ହେବ । ଏହି ନିବେଶକ ସମ୍ମିଳନୀରେ ୧୫୦ ରୁ ଊର୍ଦ୍ଧ୍ଵ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା ଓ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରି ଓଡ଼ିଶାକୁ ସୌରଶକ୍ତିର ହବ୍ ରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ ।

ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଯେ, ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଦୃଢ ପ୍ରତିଶୃତିବଦ୍ଧ ।  ଅକ୍ଷୟ ଶକ୍ତିରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ । ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ଏବଂ ଆବଶ୍ୟକୀୟ ସହାୟତା ମଧ୍ୟ ଆମେ ଯୋଗାଇଦେବା ପାଇଁ ପ୍ରସ୍ତୁତ । ଯଶସ୍ଵୀ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୭୦ ସୁଦ୍ଧା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ପ୍ରେରିତ କରିଛନ୍ତି ।

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ସମ୍ମିଳନୀରେ ସ୍ବାଗତ ଅଭିଭାଷଣ ଦେଇ କହିଥିଲେ ଯେ, ଓଡ଼ିଶା ଶକ୍ତି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦିଗରେ ଆଗେଇ ଚାଲିଛି । ବିଶ୍ବରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ଵଚ୍ଛ ଓ ସୁଲଭ ଉପାୟରେ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦିଆଯାଉଛି । ଏହା ପରିବେଶ ଓ ଜଳବାୟୁ ପ୍ରତି ଥିବା ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।

ମୋଟ ୨୯୩୮ ମେଗା ୱାଟର ଅକ୍ଷୟ ଶକ୍ତିରୁ ୨୧% କେବଳ ସୌର ଶକ୍ତିରୁ ରହିଛି ।  ଏଥିରେ ୫୦୮ ମେଗା ୱାଟ ଗ୍ରାଉଣ୍ଡ- ମାଉଣ୍ଟେଡ, ୫୮ ମେଗା ୱାଟ ରୁଫଟପ୍ ଏବଂ ୪୨ ମେଗା ୱାଟ କ୍ଷମତା ବିଶିଷ୍ଟ ଅଫ୍ ଗ୍ରୀଡ ସୌର ଶକ୍ତି ଅନ୍ତର୍ଭୁକ୍ତ । ୧୩୪୩ ମେଗା ୱାଟ ଅକ୍ଷୟ ଶକ୍ତିରୁ ୨୮% କାର୍ଯ୍ୟର ଅଗ୍ରଗତି ଜାରି ରହିଛି । ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗିର, ଝାରସୁଗୁଡ଼ା,ଓ ଢେଙ୍କାନାଳ ପ୍ରମୁଖ ରହିଛି ।

ଆଜିର ସମ୍ମିଳନୀ ୨୦୨୫ ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ପୂର୍ବ ଅଧ୍ୟାୟ ଅଟେ ।  ବର୍ତ୍ତମାନ ରାଜ୍ୟରେ ୨୦୦ ଗିଗା ୱାଟର ସମ୍ଭାବନା ରହିଥିବାବେଳେ ଆଗାମୀ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆହୁରି ଅଭିବୃଦ୍ଧି ଘଟିବ ବୋଲି ଗ୍ରୀଡକୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡା କହିଛନ୍ତି ।

ଏକ ସବୁଜ ଅର୍ଥନୀତି ଗଠନ ସକାଶେ ସବୁଜ ପରିବେଶର ଆବଶ୍ୟକ ଏବଂ ସ୍ବଚ୍ଛ ଶକ୍ତି ହେଉଛି ଏହାର ପ୍ରମୁଖ ସ୍ରୋତ l  ବର୍ତ୍ତମାନଠାରୁ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ଚାହିଦା ବୃଦ୍ଧି ହେବ ବୋଲି ଆଇଫରେଷ୍ଟର ସିଇଓ ଏବଂ ସଭାପତି ଡ଼ ଚନ୍ଦ୍ରଭୂଷଣ ଉଲ୍ଲେଖ କରିଥିଲେ ।  ଆଗାମୀ ଦିନରେ ଓଡ଼ିଶାକୁ ଅକ୍ଷୟ ଶକ୍ତିର ଭଣ୍ଡାର କରିବା ଦିଗରେ ଏହି ସମ୍ମିଳନୀ ଓଡ଼ିଶା ପାଇଁ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିବ ଏବଂ ପୁଞ୍ଜିବିନିଯୋଗକୁ ପ୍ରୋତ୍ସାହିତ କରିବ ।

Leave a Reply

Your email address will not be published. Required fields are marked *