ଶାସନ ପ୍ରକ୍ରିୟାରେ ଗୁଣାତ୍ମକ ସେବା ପ୍ରଦାନକୁ ଗୁରୁତ୍ୱ
ଭୁବନେଶ୍ୱର,୦୧ /୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଗତକାଲି ଶୁକ୍ରବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ, ପ୍ରମୁଖ ଶାସନସଚିବ ଏବଂ କମିଶନର ତଥା ଶାସନ ସଚିବ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୈଠକରେ ଗତ ଡିସେମ୍ବର ମାସରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକର ନିଷ୍ପତ୍ତି ମୁତାବକ କିକି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସଂପର୍କରେ ସମୀକ୍ଷା କରାଯାଇଥିଲା। ସେହିପରି ଗତ ଡିସେମ୍ବର ମାସରେ ଅନୁଷ୍ଠିତ୪ର୍ଥ ମୁଖ୍ୟଶାସନ ସଚିବ ସ୍ତରୀୟ ଜାତୀୟ ସମ୍ମିଳନୀରେ ଆୟୋଜିତ ବିଭିନ୍ନ ପ୍ରସ୍ତାବ ର କାର୍ଯ୍ୟକାରିତା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯାଇଥିବା ମୁଖ୍ୟ ଶାସନ ସଚିବ ଅବଗତ କରିବା ସହିତ ଏହାର ଆୟୋଜନରେ ସହଯୋଗ କରିଥିବା ସମସ୍ତ ବିଭାଗ ତଥା ସହଯୋଗୀ ଅନୁଷ୍ଠାନମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ ।
ଶାସନ ପ୍ରକ୍ରିୟାରେ ଗୁଣାତ୍ମକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ କାର୍ଯ୍ୟ ସଂପାଦନ ବେଳେ କୃତ୍ତିମ ବୁଦ୍ଧିମତା (ଏଆଇ)ର ଆବଶ୍ୟକତା ଓ ପ୍ରୟାଗ ବୃଦ୍ଧି ପାଇଥିବାରୁ ଏ ସଂପର୍କରେ ଏକ ଗବେଷଣା ଭିତ୍ତିକ ଇକୋ ସିଷ୍ଟମ ସୃଷ୍ଟି କରିବାପାଇଁ ପ୍ରସ୍ତୁତି କରିବାକୁ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗକୁ ପରାମର୍ଶ ଦିଆଯାଇଛି । ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି, ରଥଯାତ୍ରା୨୦୨୫ ପାଇଁ ପ୍ରସ୍ତୁତି ସଂପର୍କରେ ଆସନ୍ତା ମାର୍ଚ୍ଚ ମାସରେ ବୈଠକ କରାଯିବା,ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଚିଠା ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତାବ ଉପସ୍ଥାପନା ସଂପର୍କରେ ଆଲୋଚନା କରାଯାଇଥିଲା ।
ଟିପିସିଓଡିଏଲ ତରଫରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଶେଷ ପଏଣ୍ଟ ପର୍ଯ୍ୟନ୍ତ ଟ୍ରାନ୍ସଫରମରର କାର୍ଯ୍ୟ ଯାଞ୍ଚ ଓ ତଦାରଖପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରାଯାଇଛି।ଏହି ବ୍ୟବସ୍ଥା ମଧ୍ୟ ପଂଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଜଳସଂପଦ ବିଭାଗ ପକ୍ଷରୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ଏବଂ ଉଠାଜଳସେଚନ ପଏଣ୍ଟ କ୍ଷେତ୍ରରେ ଲାଗୁ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।
ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଗତ ବିଜ୍ଞପ୍ତି ଅନୁସାରେ ରହିଥିବା ସେବାଗୁଡିକ ଜନସାଧାରଣଙ୍କୁ ଯେପରି ଅନ୍ ଲାଇନ୍ ମୋଡରେ ନିର୍ଦ୍ଧାରିତ ସମୟ ଭିତରେ ମିଳିପାରିବ, ସେଥିପ୍ରତି ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ସମୀକ୍ଷା କରି ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।ଆଗାମୀ ଫେବୃଆରୀ୧୫ ତାରିଖ ସୁଦ୍ଧା ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବା ପ୍ରଦାନର ସ୍ଥିତି ସଂପର୍କରେ ପୂର୍ଣ୍ଣ ବିବରଣୀ ଜଣାଇବାକୁ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭସ (ସିଏମଜିଆଇ) ତରଫରୁ ସଚିବ ସ୍ତରୀୟ ବୈଠକରେ ହେଉଥିବା ନିଷ୍ପତ୍ତି କାର୍ଯ୍ୟକାରିତା ସଂପର୍କରେ ଅନୁଧ୍ୟାନ ତଥା ତଦାରଖ ପାଇଁ ଏକ ପୋର୍ଟାଲ“ମିଟିଂ ଡିସିସନ ମନିଟରିଂ ସିଷ୍ଟମ (ଏମଡିଏମଏସ)”ବ୍ୟବହାର ସଂପର୍କରେ ଏକ ପ୍ରଦର୍ଶନ କରାଯାଇଥିଲା, ଯଦ୍ୱାରା କି ସଚିବମାନେ ଏହାକୁ ବ୍ୟବହାର କରି ନିଜ ନିଜ ବିଭାଗ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ନେବାରେ ସହଜ ହୋଇପାରିବ । ଏଥି ସହିତ କୃଷି ଉତ୍ପାଦିତ ଦ୍ରବ୍ୟର ବଜାର ସୁବିଧା ନିମନ୍ତେ ଆବଶ୍ୟକ ସଂସ୍କାର ପାଇଁ ସମବାୟ ବିଭାଗକୁ ଏଥିରେ ରହିଥିବା ବ୍ୟବସ୍ଥାର ତର୍ଜମା କରି ଆବଶ୍ୟକ ପ୍ରସ୍ତାବ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।
-0-
ପଠାଣି ରାଉତ ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
