# ଲଘୁ ଖଣି ଲିଜ୍: ନିଲାମ ନୁହେଁ, ଇ-ଲଟେରି ହେବ
# ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରବୃତି: ଛାତ୍ରଙ୍କୁ ୧୬ ହଜାର, ଛାତ୍ରୀଙ୍କୁ ୧୭ ହଜାର
# ଅର୍ଥ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଅବଧିରେ ପରିବର୍ତନ
# ସ୍ପେଶାଲ ଡାଏଟ୍ ଭତା ବାବଦ ୬୪.୯୪ ଲକ୍ଷ ଟଙ୍କା ହିସାବରୁ ବାଦ୍
ଭୁବନେଶ୍ୱର,୨୧/୧୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ କ୍ୟାବିନେଟର ୩୦ ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟ ୯ ଟି ବିଭାଗର ୧୨ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ଆଗାମୀ ପଂଚମ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ଥିଲା ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରାଜ୍ୟ ସରକାର, ସୈରାତ ଉତ୍ସ ଯୋଗାଣ, ଚାହିଦା ଶୃଙ୍ଖଳ ଏବଂ ଲଘୁ ଖଣିଜ ପଦାର୍ଥର ମୂଲ୍ୟ ବର୍ତମାନର ପରିସ୍ଥିତିକୁ ସମୀକ୍ଷା କରି, ରାଜ୍ୟରେ ଖଣି ଲିଜ୍ ଆବଂଟନ ପାଇଁ ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଏହି ସଂଶୋଧନରେ ବେଆଇନ ଲଘୁ ଖଣିଜ ଖଣିଜ ପଦାର୍ଥ ଚୋରାଚାଲାଣକୁ ପ୍ରତିରୋଧ କରିବା ସହ ଏହାର ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣର ବ୍ୟବସ୍ଥା ରହିଛି । ଉପରୋକ୍ତ ଆଧାରରେ, କ୍ୟାବିନେଟର ଅନୁମୋଦନ ପରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ରେ ସଂଶୋଧନ କରାଯାଇଛି ।
ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ କରାଯିବ । କମିଟିରେ ଜଣେ ଅଧ୍ୟକ୍ଷ ଓ ୨ ସଦସ୍ୟ ରହିବେ । ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ । ଓଡ଼ିଶା ପୋଲିସ୍ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି, ବିଭିନ୍ନ ବୋର୍ଡ ମାଧ୍ୟମରେ ପରିଚାଳିତ ହେଉଛି ।
ସରକାର ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତଥା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି/ଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ପ୍ରାକ୍- ମାଟ୍ରିକ ଛାତ୍ରବୃତିର ହାର ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଛାତ୍ରମାନଙ୍କ ପାଇଁ ଏହି ରାଶି ବାର୍ଷିକ ୧୦,୫୦୦ଟଙ୍କାରୁ ୧୬୦୦୦ ଟଙ୍କା ଏବଂ ଛାତ୍ରୀମାନଙ୍କ ପାଇଁ ୧୧,୦୦୦ ଟଙ୍କାରୁ୧୭,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ବଦ୍ଧିତ ଛାତ୍ରବୃତି ୨୦୨୫-୨୬ ଶିକ୍ଷାବର୍ଷର ଡିସେମ୍ବର ପହିଲା ଠାରୁ ଲାଗୁ କରାଯିବ ।
ଓଡ଼ିଶା ଅର୍ଥ ସେବା (ନିଯୁକ୍ତି ଓ ସେବା ସର୍ତାବଳୀ) ନିୟମ, ୨୦୧୧ର ନିୟମ ୧୭କୁ ସଂଶୋଧନ କରାଯାଇଛି । ଏହି ସଂଶୋଧନର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ପ୍ରଶାସନିକ ଆବଶ୍ୟକତା ଆଧାରରେ ଓଡ଼ିଶା ଅର୍ଥ ସେବା ଅଧିକାରୀମାନଙ୍କ ପାଇଁ ସମୟ ସମୟରେ ସଂସ୍ଥାଗତ ଏବଂ ନିଯୁକ୍ତି ପ୍ରଶିକ୍ଷଣର ଅବଧି ନିର୍ଦ୍ଧାରଣ କିମ୍ବା ସଂଶୋଧନ କରିବା ପାଇଁ ସରକାରଙ୍କୁ କ୍ଷମତା ପ୍ରଦାନ କରିବା ।
୧୯- ୦୪-୧୯୯୩ ରୁ ୩୧-୦୩-୧୯୯୬ ମଧ୍ୟରେ ବିଭିନ୍ନ ପୋଲିସ୍ ପ୍ରତିଷ୍ଠାନ ଯଥା :- (କ) ପ୍ରଥମ ଓଡ଼ିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବାଟଲିୟନ, ଢେଙ୍କାନାଳ ;(ଖ) ଷଷ୍ଠ ଓଡିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବାଟଲିୟନ, କଟକ (ଗ) ସପ୍ତମ ଓଡିଶା ରାଜ୍ୟ ସଶସ୍ତ୍ର ବାଟଲିୟନ, ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ୨୪୯୫ ପୋଲିସ୍ କର୍ମଚାରୀଙ୍କୁ ଦିଆଯାଇଥିବା ଅଗ୍ରହଣୀୟ ସ୍ପେଶାଲ ଡାଏଟ୍ ଭତା ବାବଦକୁ ଦିଆଯାଇଥିବା ୬୪.୯୪ ଲକ୍ଷ ଟଙ୍କାକୁ ହିସାବରୁ ବାଦ୍ ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।

ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୪ (୨୦୨୪ର ୫ ନମ୍ବର) ଗ୍ରହଣ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତିି ନେଇଛି । ଏହି ସଂଶୋଧନ ଆଇନ, ପରିବେଶଗତ ଶାସନକୁ ଉନ୍ନତ କରିବା ଏବଂ ନିୟାମକ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ପ୍ରମୁଖ ପରିବର୍ତନ ଆଣିବ ।
