ମୁଖ୍ୟ ଆକର୍ଷଣ ସାଜିବ ଚନ୍ଦ୍ରଭାଗା ମେଳା ପଡ଼ିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା
କୋଣାର୍କ / ଭୁବନେଶ୍ୱର,୨୧/୧୧/୨୦୨୫ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)– ଡ଼ିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ୩୬ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗାରେ ୧୫ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ପର୍ଯ୍ୟଟନ ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଟିଡିସି ପକ୍ଷରୁ ଏହି ଉତ୍ସବ ନିମନ୍ତେ ଶୁକ୍ରବାର ଅପରାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟାରୁ ୮ଟା୩୦ ପର୍ଯ୍ୟନ୍ତ ଓଡ଼ିଶୀ, ଭାରତନାଟ୍ୟମ କୁଚିପୁଡ଼ି, କଥକଳି, ମଣିପୁରୀ, କଥକ ନୃତ୍ୟ ପରିବେଷଣ ହେବ । ଚନ୍ଦ୍ରଭାଗା ବେଳାଭୂମିରେ ୫ଟି ଦେଶ ସମେତ ଭାରତର ବିଭିନ୍ନ ରାଜ୍ୟରୁ ଶତାଧିକ ବାଲୁକା ଶିଳ୍ପୀଙ୍କ ବାଲୁକା କଳା ପ୍ରଦର୍ଶନ ହେବ। ସେହିଭଳି ହେଲିପ୍ୟାଡ଼ରେ ମୀନବଜାରରେ ଓ ୩ଟି ଅପେରା ଅନ୍ୟତମ ଆକର୍ଷଣ ସାଜିବ। ଏଥର ମୁଖ୍ୟ ଆକର୍ଷଣ ସାଜିବ ଚନ୍ଦ୍ରଭାଗା ମେଳା ପଡ଼ିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ।
ଏହାକୁ ଦୃଷ୍ଟିରେ ରଖି କୋଣାର୍କରେ ପରିମଳ, ଟ୍ରାଫିକ, ଆଲୋକ, ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଉତ୍ସବ ସମୟରେ ପାନୀୟ ଜଳ, ୨୪ଘଣ୍ଟିଆ ଆଲୋକ ବ୍ୟବସ୍ଥା, ସ୍ବାସ୍ଥ୍ୟ ଆଦି ଉତ୍ସବ ସହ ଜଡ଼ିତ ବିଭିନ୍ନ ବିଭାଗକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦେଶ ଦିଆଯାଇଥିଲ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ବିଶ୍ବଜିତ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ ସେଠୀ, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ, ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ କୋଣାର୍କ ଉତ୍ସବ ସହ ଜଡ଼ିତ ସମସ୍ତ ବିଭାଗୀୟ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।



